ରାଜଧାନୀ ଏକ୍ସପ୍ରେସରେ ଛାତ୍ରୀଙ୍କୁ ନିଶା ଆଇସିକ୍ରିମ ଦେଇ ଅଭଦ୍ର ଆଚରଣ: କାର୍ଯ୍ୟରୁ ନିଲମ୍ବିତ ହେଲେ ଟିଟି …
8/08/2019 at 1:43 PM

ନୂଆଦିଲ୍ଲୀ୮|୮: ଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସରେ ଜଣେ ଛାତ୍ରୀଙ୍କୁ ହଇରାଣ କରିବା ଅଭିଯୋଗରେ ରେଳ ବିଭାଗ ଜଣେ ଟିଟିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ଜଣେ ଓ୍ବେଟରକୁ ମଧ୍ୟ ଡ୍ୟୁଟିରୁ ବାହାର କରିଛି।
ପୀଡିତାଙ୍କ ସଂପର୍କୀୟ ମଙ୍ଗଳବାର ଦିନ ଟ୍ବିଟ କରି ଏହି ଘଟଣାକୁ ସାର୍ବଜନୀନ କରିଥିଲେ। ଏଥିସହ ଟ୍ରେନରେ ଛାତ୍ରୀଙ୍କୁ ଆଇସିକ୍ରିମରେ ନିଶା ମିଶାଇ ଖାଇବାକୁ ଦିଆଯାଇଥିବା ନେଇ ରେଳ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।ଟ୍ରେନର ପ୍ୟାଣ୍ଟ୍ରି କର୍ମଚାରୀ ଓ ଟିଟି ମିଶି ଛାତ୍ରୀଙ୍କ ସହ ଖରାପ ବ୍ୟବହାର କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।ସେଥିପାଇଁ ତାଙ୍କୁ ନିଶା ଆଇସିକ୍ରିମ ମଧ୍ୟ ଖାଇବାକୁ ଦିଆଯାଇଥିଲା।
ପୀଡିତାଙ୍କ ସଂପର୍କୀୟ ଆହୁରି ମଧ୍ୟ ଟ୍ବିଟରେ ଲେଖିଛନ୍ତି ଯେ, ଦୋଷୀ କର୍ମଚାରୀଙ୍କ ବିରୋଧରେ ରେଳ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ଏହି କର୍ମଚାରୀଙ୍କୁ ସ୍ବାଧୀନ ଭାବେ ଛାଡ଼ିଦେଲେ ଏମାନେ ଅନ୍ୟ ଯାତ୍ରୀମାନଙ୍କୁ ହଇରାଣ କରିବେ ବୋଲି ସେ କହିଥିଲେ।ପୀଡ଼ିତା ଜଣେ ଛାତ୍ରୀ, ତେଣୁ ତାଙ୍କ ପ୍ରତି ଏମିତି କରିବା ଶୋଭନୀୟ ନୁହେଁ ବୋଲି ସେ ଟ୍ବିଟ ଲେଖିଥିଲେ। ଏହି ଟ୍ବିଟକୁ ରେଳମନ୍ତ୍ରୀ ଓ ରେଳ ବିଭାଗର ଅନ୍ୟ ଅଧିକାରୀଙ୍କୁ ଟ୍ୟାଗ୍ କରାଯାଇଥିଲା।
ରେଳ ବିଭାଗ ଦ୍ବାରା ଜାରି ହୋଇଥିବା ପ୍ରତିକ୍ରିୟା ଅନୁସାରେ, ଅଭିଯୋଗକାରୀ ଏହି ଘଟଣା ସଂପର୍କରେ ପୋଲିସକୁ କୌଣସି ପ୍ରାଥମିକ ସୂଚନା ଦେଇ ନାହାଁନ୍ତି। ହେଲେ ଟ୍ବିଟ ମାଧ୍ୟରେ ଏହି ଘଟଣାକୁ ଅବଗତ କରାଇଛନ୍ତି। ତେଣୁ ଏହି ଘଟଣା ବାବଦରେ କମର୍ସିଆଲ ମ୍ୟାନେଜର ଅଭିଯୁକ୍ତଙ୍କୁ ପଚାରଉଚାର କରୁଛନ୍ତି ବୋଲି ରେଳ ବିଭାଗ କହିଛି। ପୀଡିତାଙ୍କ ସଂପର୍କୀୟ କରିଥିବା ଟ୍ବିଟ ଆଧାରରେ ରାଞ୍ଚିର ଟିଟିକୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ଓ୍ବେଟରଙ୍କୁ ଡ୍ୟୁଟିରୁ ବାହାର କରିଦିଆଯାଇଛି।
ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ପୀଡିତା ଙ୍କ ସଂପର୍କୀୟ ସନ୍ତୁଷ୍ଟ ହୋଇଛନ୍ତି। ଯାତ୍ରୀମାନଙ୍କ ସହ ଏହିଭଳି ପୂନର୍ବାର ନହେଉ ବୋଲି ରାଞ୍ଚି ଡିଆରଏମଙ୍କୁ ପୀଡିତାଙ୍କ ସଂପର୍କୀୟ ଅନୁରୋଧ କରିଛନ୍ତି।