ରାଜଧାନୀ ଉପକଣ୍ଠରେ ଚୋରଙ୍କ ଆତଙ୍କ, ଲଗାତାର ଭାବେ ଗୋଟିଏ ଅଞ୍ଚଳରୁ ଚୋରି
29/01/2023 at 4:00 PM

ଭୁବନେଶ୍ୱର 29/01: ରାଜଧାନୀ ଉପକଣ୍ଠରେ ଚୋରଙ୍କ ଆତଙ୍କ। ଲଗାତର ଭାବେ ବାଲିପାଟଣା ଥାନା ଏବଂ ବାଲିଅନ୍ତା ଥାନା ଅଂଚଳରୁ ଲୋକଙ୍କ ଘରୁ ରାତିରେ ଚୋରି ହେଉଛି । ରବିବାର ପୁଣି ବାଲିପାଟଣା ଥାନା ତରଡପଡା ଗ୍ରାମରୁ ୨ଜଣ ବ୍ୟକ୍ତିଙ୍କ ଘରୁ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି । ଯାହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି ।
୨ଜଣିଆ ଚୋର ଦଳ ବିଳମ୍ବିତ ରାତିରେ ଘରେ ପ୍ରବେଶ କରିବା ସହ ସୁନା ଅଳଙ୍କାର ଚୋରି କରି ନେଉଛନ୍ତି । ଘରେ ପରିବାର ଲୋକ ଶୋଇଥିବା ବେଳେ ଏପରି ଚୋରି ହେଉଛି । ଗୁରୁବାର ବିଳମ୍ବିତ ରାତ୍ରିରେ ବାଲିପାଟଣା ଥାନା ପୁରୋହିତପୁର ଗ୍ରାମରୁ, ଶୁକ୍ରବାର ବିଳମ୍ବିତ ରାତିରେ ଟୋଲକପଡ଼ା ଗ୍ରାମରୁ ଏବଂ ଶନିବାର ବିଳମ୍ବିତ ରାତିରେ ବାଲିପାଟଣା ଥାନା ତରଡପଡ଼ା ଗ୍ରାମରୁ ଅନୁରୁପ ଭାବେ ଚୋରି ହୋଇଛି । ତରଡପଡ଼ା ଗ୍ରାମର ଶିବଲାଭ ସାହୁ ଏବଂ ରମେଶ ଚନ୍ଦ୍ର ସାହୁଙ୍କ ଘରୁ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି ଚୋର। ଚତୁରତାର ସହ ଚୋର ଦଳ ତାଙ୍କ କାଣ୍ଡ କରି ଫେରି ଯାଉଛନ୍ତି। ସେମାନଙ୍କ ପତ୍ତା ଆଜି ଯାଏଁ ପୋଲିସ୍ ହାତରେ ଲାଗି ପାରିନି। ଏବେ ସେମାନଙ୍କୁ ଧରିବାକୁ ପୋଲିସର ପୂରା ଟିମ୍ ଜୋରସୋରରେ ଲାଗି ପଡ଼ିଛନ୍ତି।