ଯାଜପୁରରେ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା
14/04/2018 at 11:57 PM

ଆରମ୍ଭ ହୋଇଛି ଯାଜପୁରର ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା । ବର୍ଷ ତମାମ ଏକ ବୃହତ ପୁଷ୍କରିଣୀରେ ଗୋପନ ଶୟନରେ ଥିବା ନାରାୟଣ ଗୋସେଇଁଙ୍କ ମୂର୍ତ୍ତୀ ଆଜି ପ୍ରତ୍ୟୁଷରେ ପାଣିରୁ ଛଣାଯାଇ ମନ୍ଦିରକୁ ଅଣାଯାଇଛି । ପରମ୍ପରା ଅନୁଯାୟୀ ଠାକୁର ପ୍ରତିବର୍ଷ ପଣାସଂକ୍ରାନ୍ତୀରେ ହିଁ ତିନିଦିନ ପାଇଁ ପାଣିରୁ ବାହାରିଥାନ୍ତି । ଭକ୍ତଙ୍କ ମେଳରେ ଠାକୁରଙ୍କୁ ଚାପ ଯୋଗେ ପାଣିରୁ ଉପରକୁ ଅଣାଯିବା ପରେ ବିଧି ଅନୁଯାୟୀ ଗଡମଧୁପୁର ରାଜବଂଶର ଉତ୍ତରାଧିକାରିଣୀ ଭାବରେ ରାଜଜେମା ଅପର୍ଣ୍ଣା ଧିର ସିଂହ ସାମନ୍ତ ପ୍ରଥମେ ପଇଡ ପାଣି ଓ ଅନ୍ୟାନ୍ୟ ସୁଗନ୍ଧ ଦ୍ରବ୍ୟରେ ପ୍ରଭୁଙ୍କ ସ୍ନାନ କରାଇଥିଲେ । ପରେ ଠାକୁର ନିକଟସ୍ଥ ନୃସିଂହ ମନ୍ଦିରକୁ ବିଜେ କରିଥିଲେ । ଘଣ୍ଟାଘଣ୍ଟି ଓ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ପରିବେଶ । ଠାକୁରଙ୍କ ଏହି ନିଆରା ଜଳଚାପ କ୍ରିଡା ଦେଖିବା ପାଇଁ ସକାଳୁ ସକାଳୁ ପୋଖରୀ ଚାରିପଟେ ଓ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।