ମଝି ଆକାଶରେ ଟର୍ବ୍ୟୁଲେନ୍ସ ସହ ଧକ୍କା ହେଲା ବିମାନ; ୧୧ ଯାତ୍ରୀ ଗୁରୁତର
19/12/2022 at 10:23 AM

ନୂଆଦିଲ୍ଲୀ: ମଝି ଆକାଶରେ ଟର୍ବୋଲେନ୍ସ(ବାୟୁର ଅନିୟନ୍ତ୍ରିତ ପ୍ରବାହ) ସହ ମାଡ଼ ହେଲା ହାୱାଇ ଏୟାରଲାଇନ୍ସର ବିମାନ। ଏଥିରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ହୋନୁଲୁଲୁ ସୀମା ନିକଟରେ ପ୍ରାୟ ୩୦ ମିନିଟ ପାଇଁ ହାୱାଇ ବିମାନ ଟର୍ବୋଲେନ୍ସର ଶିକାର ହୋଇଥିଲା। ଏଥିରେ ୧୧ ଗୁରୁତର ହୋଇଥିବା ବେଳେ ୯ ଜଣଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ହୋନୁଲୁଲୁ ଏମାର୍ଜେନ୍ସି ମେଡିକାଲ ସର୍ଭିସ ପକ୍ଷରୁ ସୂଚନା ଦିଆଯାଇଛି। ଦିନ ୧୧ଟା ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଥିଲା। ଏହି ଘଟଣାରେ ୩୬ ଜଣଙ୍କର ଘଟଣା ସ୍ଥଳରେ ଚିକିତ୍ସା କରାଯିବ ସହିତ ୨୦ ଲୋକଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।
ହାୱାଇ ଏୟାରଲାଇନ୍ସ ପକ୍ଷରୁ ମିଳିଥିବା ଖବର ଅନୁସାରେ, ୧୩ ଯାତ୍ରୀ ଏବଂ ୩ କ୍ରୁମେମ୍ବର ଡାକ୍ତରଖାନା ନିଆଯାଇଛି। ଏହି ବିମାନରେ ୨୭୮ ଯାତ୍ରୀ ଓ ୧୦ କ୍ରୁ ମେମ୍ବର ଥିଲେ। ଟର୍ବୁଲେନ୍ସରେ ମାଡ଼ ହୋଇ ବି ୧୦.୫୦ ବେଳେ ବିମାନଟି ହୋନୁଲୁଲୁ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।