ବ୍ରହ୍ମପୁର ରାଜୀବ ଆବାସ ଯୋଜନାରେ ନିର୍ମିତ କୋଠାକୁ ସ୍ଥାନାନ୍ତରଣ ହେବାକୁ ଅରାଜି ବସ୍ତିବାସିନ୍ଦା
17/05/2018 at 9:17 PM

ଓଡିଶାର ଅନ୍ୟତମ ମହାନଗରନିଗମ ହେଉଛି ବ୍ରହ୍ମପୁର ମହାନଗର ନିଗମ। ଏହି ସହରରେ ପାଖାପାଖି ସାଢେ ଚାରି ଲକ୍ଷ ଲୋକ ବସତିସ୍ଥାପନ କରୁଛନ୍ତି। ସହରର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅନୁଦାନ ଆସୁଛି। ବିଶେଷ କରି ବସ୍ତି ଅଞ୍ଚଳ, ଗରୀବଙ୍କ ପାଇଁ ପକ୍କା ଘର ଯୋଗାଇବାକୁ କେନ୍ଦ୍ର ସରକାର ପକ୍ଷରୁ ରାଜୀବ ଆବାସିକ ଯୋଜନାରେ ଅନୁଦାନ ଆସିଛି। ଘର ମଧ୍ୟ ନିର୍ମାଣ ହୋଇଛି। ସେମାନଙ୍କ ସୁବିଧା ପାଇଁ କୋଠା ନିର୍ମାଣ ସିରିଛି। ହେଲେ ସେଠାକୁ ଯିବା ପାଇଁ ଅନୁଚ୍ଛା ପ୍ରକାଶ କରିଛନ୍ତି ବସ୍ତିବାସିନ୍ଦା। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସହରର ୪ ନମ୍ବର ୱାର୍ଡରେ। ଏହି ୱାର୍ଡରେ ପିଚିପିଚାନଗର ଓ ନେଳିଆବନ୍ଧ ବସ୍ତିର ୨୭୦ଜଣଙ୍କୁ ରାଜୀବଆବାସିକ ଯୋଜନା ମାଧ୍ୟମରେ ଗୃହ ଯୋଗାଣପାଇଁ ଚିହ୍ନଟ ହୋଇଛି। ସ୍ଥାନାନ୍ତର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଯିବାପାଇଁ ବସ୍ତିବାସିନ୍ଦା ଅରାଜି ହେଉଛନ୍ତି। ବର୍ଷା,ଖରା,ଶୀତରେ ବର୍ଷବର୍ଷ ଧରି ଏହି ଅଞ୍ଚଳର ଗରୀବଲୋକେ ବହୁ କଷ୍ଟରେ ଜୀବନ ଅତିବାହିତ କରିବାକୁ ପଡୁଥିଲେ ମଧ୍ୟ ବସ୍ତି ଜାଗା ଛାଡି ଅନ୍ୟତ୍ର ଯିବାକୁ ମନା କରୁଛନ୍ତି ଅଞ୍ଚଳବାସୀ। ନିଜ ଜାଗାରେ ପଟ୍ଟା ପ୍ରଦାନ କରି ଘର ନିର୍ମାଣ କରିବାକୁ ଦାବୀ କରିଛନ୍ତି। ଏହି ଦାବୀ ନେଇ ଆଜି ଅଞ୍ଚଳବାସୀ ଏବଂ ବି.ଜେ.ପି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟକୁ ଆସି କମିଶନରଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ମଲେ ମରିବୁ ପଛେ ବସ୍ତି ଛାଡି କୁଆଡେ ଯିବୁ ନାହିଁ ବୋଲି ବସ୍ତି ବାସିନ୍ଦା ଜିଦ୍ ଧରିଛନ୍ତି।