ବ୍ରହ୍ମପୁର ଜମାଦେଇପେଣ୍ଠ ବୃଦ୍ଧାଙ୍କୁ ହତ୍ୟା କରିବା ଘଟଣାରେ ଦୁଇ ଗିରଫ
9/06/2018 at 10:39 PM

ସିଲକ୍ ସିଟି ବ୍ରହ୍ମପୁର ସହର। ପୁରୁଣା ବ୍ରହ୍ମପୁର ଅଞ୍ଚଳର ବଡବଜାର ପୁଲିସ ଥାନା ଅନ୍ତର୍ଗତ ଜମାଦେଇପେଣ୍ଠ ସାହି। ଏହି ସାହିରେ ରହୁଥିଲେ ବୃଦ୍ଧା ଜମ୍ଭୁବତୀ ସାହୁ। ବୃଦ୍ଧା ଏକାକୀ ଘରେ ରହୁଥିବା ବେଳେ ଉପର ଘର ଭଡାକୁ ଦେଇଥିଲେ। ଏକୁଟିଆ ରହୁଥିବା ସୁଯୋଗ ନେଇ ଦୁର୍ବୁତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କା, ସୁନା ଗହଣା ଲୁଟି ନେବା ସହ ବୃଦ୍ଧାଙ୍କୁ ହତ୍ୟା କରିଥିଲେ। ଗତ ୧ ତାରିଖରେ ଘରେ କେହି ନଥିବା ସୁଯୋଗ ଦେଖି ବୃଦ୍ଧାଙ୍କୁ ହତ୍ୟା କରି ୧୨ ତୋଳା ସୁନା ଅଳଙ୍କାର ଚୋରି କରିନେଇଥିଲେ। ଏହି ଘଟଣାର ତଦନ୍ତ କରି ବଡବଜାର ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮୩ ଗ୍ରାମ୍ ସୁନା ଅଳଙ୍କାର, ନଗଦ ଏକ ଲକ୍ଷ ତିନି ହଜାର ଟଙ୍କା, ଗୋଟିଏ ମୋବାଇଲ୍, ଗୋଟିଏ କ୍ୟାମେରା ଜବତ କରିଥିବା ପୁଲିସ କହିଛି। ହତ୍ୟା କରି ସୁନା ଅଲଙ୍କାର ଚୋରି କରିବା ପରେ ସାନବଜାର ଅଞ୍ଚଳରେ ଥିବା ଏକ ଝଳେଇ ସୁନା ଦୋକାନରେ ସୁନା ଅଳଙ୍କାରକୁ ଝଳେଇ କରିଥିଲେ। କିଛି ସୁନା ଅଳଙ୍କାରକୁ ସୁନା ଦୋକାନରେ ବିକ୍ରି କରିଥିଲେ। ବିକ୍ରି କରି ପାଇଥିବା ଟଙ୍କା ଦୁଇ ଜଣଙ୍କ ଠାରୁ ଋଣ ଆଣିଥିବା ବେଳେ ସେମାନଙ୍କୁ ପରିଷୋଧ କରିଥିଲେ। ମୁନା ନାୟକଙ୍କୁ ୭୦ ହଜାର ଟଙ୍କା ଏବଂ ସୀମାଞ୍ଚଳ ନାୟକଙ୍କୁ ୨୦ ହଜାର ଟଙ୍କା ଋଣ ପରିଷୋଧ କରିଥିଲେ। ଏ ଘଟଣାର ଟିକିନିଖି ତଦନ୍ତ କରି ସନ୍ତୋଷ ସେନାପତି ଏବଂ ଆକାଶ ଜଗତପ୍ ଦୁଇଜଣଙ୍କୁ ପୁଲିସ ଗିରଫ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍.ପି ତ୍ରିନାଥ ପଟେଲ୍ କହିଛନ୍ତି। ମୃତକ ବୃଦ୍ଧା ଜମ୍ଭୁବତୀ ସାହୁଙ୍କ ଘରେ ଚାକରାଣୀ ଭାବେ କାମ କରୁଥିବା ଜୈନିକ ମହିଳାଙ୍କ ପୁଅ ଏଭଳି କାଣ୍ଡ ଘଟାଇଥିବା ପୁଲିସ କହିଛି। ପୁଲିସର ପଦକ୍ଷେପ ଯୋଗୁଁ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିଥିବା ଯୋଗୁଁ ଅଞ୍ଚଳବାସୀ ପୁଲିସକୁ ସାଧୁବାଦ ଜଣାଇଛନ୍ତି। ତେବେ ସିନିୟର୍ ସିଟିଜନ୍ଙ୍କ ସୁରକ୍ଷା ପ୍ରତି ଆହୁରି ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ରଖିଛନ୍ତି।