ବୈତରଣୀ ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ କରୁଛି ପୋଲିସ୍
14/03/2023 at 10:53 PM

ବଡ଼ବିଲ୍, ୧୪/୦୩: ବୈତରଣୀ ନଦୀରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ। ଚମ୍ପୁଆ କୁଟାରୀପଶି ପଞ୍ଚାୟତ, କଙ୍କଡ଼ାପାଟ ବୈତରଣୀ ନଦୀରେ ଭାସୁଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ନଦୀରେ ମୃତଦେହଟି ଅଧା ଭାସୁଥିବାର ଦେଖି ଚମ୍ପୁଆ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ପୋଲିସ୍ ପହଞ୍ଚି ଅଗ୍ନିଶମ ବାହିନୀଙ୍କ ସହାୟତାରେ ମୃତଦେହକୁ ନଦୀ ଭିତରୁ ଉଦ୍ଧାର କରିଛି। ତେବେ ମୃତ ଯୁବତୀଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।
ମୃତ ଯୁବତୀଙ୍କ ଅଣ୍ଟାରେ ପଥର ବନ୍ଧାଯାଇଥିବା ସହ ଶରୀରର କିଛି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ତାଙ୍କୁ କେହି ହତ୍ୟା କରିବାପରେ ଅଣ୍ଟାରେ ପଥର ବାନ୍ଧି ନଦୀକୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ତେବେ ବିଭିନ୍ନ ଦିଗକୁ ନେଇ ଚମ୍ପୁଆ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ଏହି ଯୁବତୀଙ୍କ ପରିଚୟ କ’ଣ ଏବଂ ସେ କେଉଁ ଅଞ୍ଚଳର ସେନେଇ ପୋଲିସ୍ ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି । ଯୁବତୀଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିବାପରେ ତାଙ୍କର କେଉଁଭଳି ପରିସ୍ଥିତିରେ ମୃତ୍ୟୁ ଘଟିଲା, ତାଙ୍କୁ କିଏ ଓ କାହିଁକି ହତ୍ୟାକଲା ସେନେଇ ସ୍ପଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି ।