ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ମହାସଂଗ୍ରାମ ଅଭିଯାନ ଆରମ୍ଭ
16/05/2018 at 10:12 AM

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ମହାନଦୀ ମହାସଂଗ୍ରାମ ଅଭିଯାନ ଆରମ୍ଭ । ଝାରସୁଗୁଡା ସୁଖାସୋଡାରୁ ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯାତ୍ରା ମହାନଦୀ ଅବବାହିକାର ୧୫ ଜିଲ୍ଲା ଦେଇ ୧୫ ଦିନ ପର୍ଯ୍ୟନ୍ତ ଚାଲିବ । ପାରାଦୀପରେ ଏହି ଯାତ୍ରା ଶେଷ ହେବ । ଏହି ଅବସରରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇ ମହାନଦୀ ପାଇଁ ଲଢିବାକୁ ଓଡିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । କହିଛନ୍ତି ମହାନଦୀ ଓଡ଼ିଶାର ଜୀବନ ରେଖା, ମହାନଦୀ ଆମ ମାଆ । ମହାନଦୀକୁ ଛାଡି ଓଡିଆ ଜାତି କଳ୍ପନା କରାଯାଇ ପାରେନା । ଏଥି ସହ ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଓଡ଼ିଶାର ବିଜେପି ନେତା ଛତିଶଗଡକୁ ସମର୍ଥନ କରୁଛନ୍ତି । କିନ୍ତୁ ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯଦି ତାଙ୍କର ଦରଦ ଅଛି ତେବେ ଛତିଶଗଡକୁ ବିରୋଧ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ନବୀନ । ମହାନଦୀ କେବଳ ବିଜେଡିର ନୁହେଁ, ସାରା ଓଡିଶାର । ଛତିଶଗଡର ବ୍ୟାରେଜ ନିର୍ମାଣ ଯୋଗୁଁ ବର୍ଷା ଋତୁକୁ ଛାଡିଦେଲେ ଅନ୍ୟ ଋତୁରେ ମହାନଦୀ ଶୁଖିଲା ପଡୁଛି । ମହାନଦୀକୁ ଆମେ ଶୁଖିବାକୁ ଦେବୁନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଝାରସୁଗୁଡା ପରେ ବରଗଡ ଚିଖିଲି ମହାନଦୀ ମୁହାଣରେ ମହାନଦୀ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ବି ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ଦଳରୁ ଉର୍ଦ୍ଧ୍ବରେ ରହି ଏହି ଅଭିଯାନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ..