ବରିଷ୍ଠ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପରଲୋକ
9/05/2018 at 10:09 AM

ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ନାଟ୍ୟକାର ଓ ନିର୍ଦ୍ଦେଶକ ଭୁବନେଶ୍ବର ମହାପାତ୍ରଙ୍କ ପୁଅ ରାଧାନାଥ ମହାପାତ୍ର ପୁରୀରେ ଜନ୍ମଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ମନ୍ଦାକିନୀ ଓ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ। ଫୁସଫୁସ ଓ ହୃଦରୋଗରେ ଆକ୍ରାନ୍ତ ହୋଇ ଗତ ମାସ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରାଧାନାଥ। ଓଡ଼ିଆ ସିନେ ସାମ୍ବାଦିକତା କ୍ଷେତ୍ରରେ ରାଧାନାଥ ମହାପାତ୍ରଙ୍କର ବିଶେଷ ଦକ୍ଷତା ରହିଥିଲା । ରାଜ୍ୟର ପ୍ରମୁଖ ଖବର କାଗଜ ଓ ଟିଭି ଚାନେଲରେ ଫିଚର ଓ ସିନେମା ସାମ୍ବାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ରାଧାନାଥ ମହାପାତ୍ର । ରାଧାନାଥ ଏକାଧିକ ପ୍ରତିଭାର ଅଧିକାରୀ ଥିଲେ । ସେ ଶିଶୁ କଳାକାର ଭାବେ ଶ୍ରୀ ଲୋକନାଥ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ରାଧାନାଥ ମହାପାତ୍ରଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଶୋକ ପ୍ରକାଶ କରିଛନ୍ତି । ରାଧନାଥଙ୍କ ବିୟୋଗ ଓଡ଼ିଆ ସିନେ ସାମ୍ବାଦିକତା କ୍ଷେତ୍ରରେ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ଅଧିକାଂଶ ମତ ରଖିଛନ୍ତି । .