ଫିଫା ବିଶ୍ୱକପ୍ : ସେମିଫାଇନାଲରେ ଫ୍ରାନ୍ସ ଓ ମରକ୍କୋ, ରୋନାଲ୍ଡୋଙ୍କ ବିଶ୍ବକପ୍ ଜିତିବା ସ୍ବପ୍ନ ଧୂଳିସାତ୍
11/12/2022 at 8:39 AM

ଦୋହା ୧୧।୧୨ : ବିଶ୍ବକପ୍ ଫୁଟବଲ୍ ସେମିଫାଇନାଲରେ ଫ୍ରାନ୍ସ ଓ ମରକ୍କୋ। କ୍ବାର୍ଟର ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ସେମିଫାଇନାଲରେ ପ୍ରବେଶ କରିଛି। ଫ୍ରାନ୍ସ ପ୍ରଥମ ଥର ପାଇଁ ବିଶ୍ବକପ୍ ଫୁଟବଲରେ ଇଂଲଣ୍ଡକୁ ହରାଇଛି। ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଏହି କ୍ବାର୍ଟର ଫାଇନାଲ ମ୍ୟାଚ୍ ବେଶ ରୋମାଞ୍ଚକର ହୋଇଥିଲା।
ସେପଟେ ପର୍ତ୍ତୁଗାଲକୁ ୧-୦ରେ ହରାଇ ଆଫ୍ରିକୀୟ ଟିମ୍ ମରକ୍କୋ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛି। ଷ୍ଟାର ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ଟିମ୍ ପର୍ତ୍ତୁଗାଲକୁ ମାତ୍ ଦେଇଥିଲା ଆଫ୍ରିକୀୟ ଟିମ୍ ମରକ୍କୋ। ଏହାଫଳରେ ରୋନାଲ୍ଡୋଙ୍କ ବିଶ୍ବକପ୍ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଛି। ଏହା ପୂର୍ବରୁ ପ୍ରିକ୍ବାର୍ଟର ଫାଇନାଲରେ ପୂର୍ବତନ ବିଜେତା ସ୍ପେନକୁ ମଧ୍ୟ ହରାଇ ବିପର୍ଯ୍ୟୟ ଘଟାଇଥିଲା ମରକ୍କୋ।
ଚଳିତ ବିଶ୍ବକପରେ ଏପର୍ଯ୍ୟନ୍ତ ଗୋଟିଏ ବି ଗୋଲ୍ ବରଣ କରିନଥିବା ମରକ୍କୋ କେବଳ ଗ୍ରୁପ୍ ପର୍ଯ୍ୟାୟରେ ନୟେଫ ଅଗୁଏର୍ଡଙ୍କ ଆତ୍ମଘାତୀ ଗୋଲ୍ ଯୋଗୁଁ ଗୋଟିଏ ଗୋଲ୍ ଏହା ବିପକ୍ଷରେ ଯାଇଥିଲା। ଏପରିକି ସ୍ପେନ୍ ବିପକ୍ଷ ପେନାଲ୍ ଟି ସୁଟ୍ ଆଉଟ୍ ରେ ମଧ୍ୟ ମରକ୍କୋ ପୋଷ୍ଟ୍ କୁ ଗୋଟିଏ ବି ବଲ୍ ଯାଇପାରିନଥିଲା।
ପର୍ତୁଗାଲ୍ ବିପକ୍ଷରେ ବି ପ୍ରଥମାର୍ଦ୍ଧରେ ସମାନ ପ୍ରଦର୍ଶନ ଜାରି ରଖି ମରକ୍କୋ ଡିଫେଣ୍ଡରମାନେ ଦଳକୁ ରକ୍ଷା କରିଥିଲେ। ୪୨ତମ ମିନିଟ୍ ରେ ୟାହା ଅତିତାତ୍ ଅଲ୍ଲାଙ୍କ ଲମ୍ବା ପାସ୍ କୁ ୟୁସୁଫ୍ ଏନ୍ ନେସିରି ଉଚ୍ଚ ହେଡର ଯୋଗେ ଗୋଲ୍ ଦେଇଥିଲେ। ଯଦିଓ ଗୋଲ୍ ରକ୍ଷକ ଡିଏଗୋ କୋଷ୍ଟା ଏହାକୁ ଧରିବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ନେସିରିଙ୍କ ହେଡର ଉଚ୍ଚତା ପର୍ଯ୍ୟନ୍ତ ସେ ପହଞ୍ଚିପାରିନଥିଲେ।