ପ୍ରଗଳା ଠାକୁରାଣୀ
16/05/2018 at 11:07 AM

ପୂର୍ବରୁ ଓଡିଶାରେ 26ଟି ପୂରାତନ ଗଡ଼ଜାତ ଥିଲା । ସେଥିରୁ ନରସିଂହପୁର ଗଡ଼ଜାତର ସ୍ଥାନ ସ୍ବତନ୍ତ୍ର । ଏହି ନରସିଂହପୁରର ଜୟପୁର ଗାଁ । ଏହାର ଚାରିପଟ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ । ପ୍ରକୃତିର ମନୋଜ୍ଞ ପରିବେଷ୍ଟନୀରେ ରାଜା ଧର୍ମଜୟ ସିଂହଙ୍କ ଅମଳରୁ ଏଠାରେ ପୂଜା ପାଇଆସୁଛି ଦୁଇଟି ଖଣ୍ଡା । ଆଉ ଏହି ଦୁଇଟି ଖଣ୍ଡାକୁ ଲୋକେ ପୂଜା କରୁଛନ୍ତି ପ୍ରଗଳା ଠାକୁରାଣୀ ଭାବେ । ଏହା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଏହା ପଛର କାହାଣୀ ବି ଖୁବ ରହସ୍ୟମୟ । ଜୟପୁର ଜଙ୍ଗଲର ଏହି ଦୁଇ ଖଣ୍ଡାକୁ ନେଇ ବିଭିନ୍ନ କାହାଣୀ ଶୁଣିବାକୁ ମିଳେ । କୁହାଯାଏ – ନରସିଂହପୁର ଗଡ଼ଜାତର ପ୍ରତିଷ୍ଠାତା ରାଜା ଧର୍ମଜୟସିଂହଙ୍କର ଜଣେ ବୀର ଦୁହିତା ଥିଲେ । ନିଜ ପିତାଙ୍କୁ ସେ ଯୁଦ୍ଧକ୍ଷେତ୍ରରେ ଶତ୍ରୁ ବିପକ୍ଷରେ ସାହାଯ୍ୟ କରିଥିଲେ । ଯୁଦ୍ଧ ସମୟରେ ସେହି ବୀର ଦୁହିତା ପିତାଙ୍କୁ ସୁରକ୍ଷା କରିବାକୁ ଯାଇ ନିଜର ଗଳା ହରାଇଥିଲେ । ତାଙ୍କରି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ସେ ବ୍ୟବହାର କରୁଥିବା ଖଣ୍ଡା ଦୁଇଟି ଏଠାରେ ପୂଜା ପାଇଆସୁଛି । ଏହି ଖଣ୍ଡା ଦୁଇଟିକୁ ନେଇ କିଏ କେତେକଥା କହନ୍ତି। କେତେକଙ୍କ ମତରେ ଅତିତରେ ସେନବଂଶର ରାଜା ଏହି ଖଣ୍ଡା ଦୁଇଟି ବ୍ୟବହାର କରୁଥିଲେ । ଏହାକୁ ସେମାନେ ଅରଣ୍ୟରେ ଭ୍ରମଣ କରୁଥିବା ସମୟରେ ଏକ ଗଛମୂଳରେ ଛାଡି ଯାଇଥିଲେ । ସେହି ଯାଗାଟି ଥିଲା ଅନୁଗୁଳର ‘ ତଳମୂଳ’ । ପରେ ଅନୁଗୁଳର ଉତ୍କାଳୀନ ରାଜା ଜଗଦ୍ଦେବଙ୍କ ଅମାର ଘରେ ଏହି ଅସୀ ଦୁଇଟି ରଖାଯାଇ ଥିଲା । ଏହି ଖଣ୍ଡାର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହା ସବୁବେଳେ ଆସ୍ଥାନରେ ନଥାଏ । କେତେବେଳେ ଦେବୀଙ୍କର ଇଚ୍ଛାହୁଏ ତ ଅସୀ ଦୁଇଟି ଆସ୍ଥାନରୁ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ପୁଣି କେତେବେଳେ ନିମିଷେକ ମଧ୍ୟରେ ଦେଖାଯା’ନ୍ତି । ଏଭଳି ବିଚିତ୍ର ଖଣ୍ଡା ଅନ୍ୟତ୍ର ଦେଖାଯାଏନାହିଁ । ଅନେକ ଏକଥାକୁ ଅବିଶ୍ବାସ ମନେକରି ଏଠାରେ ପହଞ୍ଚିଛନ୍ତି । ଆଉ ନୂଆ ଅନୁଭୂତି ନେଇ ଫେରିଛନ୍ତି । କେତେକ ସମୟରେ ଏହି ଖଣ୍ଡା ଦୁଇଟି ଆସ୍ଥାନରେ ନଥାଏ । ପୁଣି କେତେବେଳେ ହଠାତ୍ ଝଣଝଣ ଶଦ୍ଦ କରି ତୀକ୍ଷଣ ଅସୀ ବା ଛୁରୀ ଦୁଇଟି ଆସ୍ଥାନକୁ ଚାଲି ଆସେ ।
ଉପସ୍ଥାପନା – ବିଜୟ କୁମାର ମହାନ୍ତି