ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ
7/05/2018 at 9:51 AM

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ ଆଜି ସକାଳ ୯ଟାରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଏଥିରେ ମୋଟ୍ ୪ଲକ୍ଷ ୩୮ହଜାର ୩୪୮ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥର ପାସ୍ ହାର ରହିଛି ୭୬.୨୩ ପ୍ରତିଶତ । ୬ଲକ୍ଷ ୮ ହଜାର ୬୫୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ଲକ୍ଷ ୩୮ହଜାର ୩୪୮ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୧ ହଜାର ୭୧୫ ଜଣ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୮୦ରୁ ୯୦ ପ୍ରତିଶତ ନମ୍ବର ରଖି A2 ଗ୍ରେଡରେ ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ହେଉଛି ୧୫ ହଜାର ୬୮୯ । ସେହିପରି ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି B1 ଗ୍ରେଡ୍ ରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୯ ହଜାର ୨୫୨ । ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ‘ବି-୨’ ଗ୍ରେଡ୍ ରେ ୬୮ ହଜାର ୦୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ୍ ୧ ଲକ୍ଷ ୨୪ ହଜାର ୬୬୫ ଜଣ ପରିକ୍ଷାର୍ଥୀ ୬୦ ପ୍ରତିଶତ ନମ୍ବରରୁ ଅଧିକ ରଖି ପାସ୍ କରିଛନ୍ତି । C ଗ୍ରେଡ୍ ପାଇଛନ୍ତି ୯୭ ହଜାର ୭୪୬, D ଗ୍ରେଡ ପାଇଛନ୍ତି ୧ ଲକ୍ଷ ୨୩ ହଜାର ୭୬୩ ଛାତ୍ରଛାତ୍ରୀ । ଏଥର ବି ପୁଅଙ୍କୁ ପଛରେ ପକାଇ ବାଜିମାତ୍ କରିଛନ୍ତି ଝିଅ । ମୋଟ ୨ ଲକ୍ଷ ୨୨ ହଜାର ୪୩ ଜଣ ଝିଅ ପାସ୍ କରିଥିବା ବେଳେ ପୁଅ ୨ ଲକ୍ଷ ୧୬ ହଜାର ୩୦୫ ଜଣ ପାସ୍ କରିଛନ୍ତି । ବଲେଶ୍ବରରେ ସର୍ବାଧିକ ପାସ୍ ହାର ପାସ୍ ହାର- ୮୮.୧୫% ରହିଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ପାସ୍ ହାର ୫୯.୩୨% ରହିଛି । ୪୨୯ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ୩୬ ସ୍କୁଲରେ ଜଣେ ବି ପରିକ୍ଷାର୍ଥୀ ପାସ୍ କରିନାହାନ୍ତି । ଅର୍ଥାତ୍ ଏଠାରେ ରେଜଲ୍ଟ ନିଲ୍ । ମାଟ୍ରିକ ପରୀକ୍ଷା ଫଳ ସହ ବୋର୍ଡ ପକ୍ଷରୁ ଏକକାଳୀନ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇଛି । ମଧ୍ୟମା ପରୀକ୍ଷାରେ ମୋଟ୍ ପାସ ହାର ୯୨.୪୭ ପ୍ରତିଶତ ରହିଛି । ମୋଟ୍ ୩୪୪୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୧୮୧ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୪୧.୯୩ ପ୍ରତିଶତ ହିସାବରେ ମୋଟ୍ ୫୪୫୪ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି ।