ପୌରାଣିକ ଚଳଚ୍ଚିତ୍ରରେ ଭାବଦଗ୍ଧ ଅନୀତା
12/05/2018 at 7:26 AM

ମମତାମୟୀ ଅନୀତା । ଅବିବାହିତା ଓ ସନ୍ତାନହୀନା । ତଥାପି ସେ ଥିଲେ ଓଲିଉଡର ମା । ଗୋଟେ ମାର ମନ ଓ ହୃଦୟ ଯେମିତି ଥିଲା ତାଙ୍କର ସହଜାତ ଗୁଣ । ସେଇ ସହଜାତ ପ୍ରବୃତ୍ତି ହିଁ ତାଙ୍କ ଅଭିନୟକୁ କରୁଥିଲା ମର୍ମସ୍ପର୍ଶୀ । ସାମାଜିକ କାହାଣୀରେ ସେ ଯେମିତି ନିପୁଣଭାବେ ମାର ଅଭିନୟ କରୁଥିଲେ , ବାତ୍ସଲ୍ୟ ମମତାର ଉଦାହରଣ ତିଆରି କରୁଥିଲେ- ଠିକ ସେମିତି ପୌରାଣିକ ଚଳଚ୍ଚିତ୍ରରେ ତାଙ୍କ ଭାବଦଗ୍ଧ ଅଭିନୟ ଓ ଉଚ୍ଚକୋଟୀର ସଂଳାପ କହିବା ଶୈଳୀ ଦର୍ଶକଙ୍କୁ ବିମୋହିତ କରିଥିଲା ।
‘ ଯାଯାବର’ ପରେ ଅନୀତା ଦାସଙ୍କ ଅଭିନୀତ ପ୍ରଥମ ପୌରାଣୀକ ଚଳଚ୍ଚିତ୍ର ଥିଲା ‘କୃଷ୍ଣ ସୁଦାମା’ । 1976ରେ ମୁକ୍ତିଲାଭ କରିଥିବା ଏ ଛବିର ନିର୍ଦ୍ଦେଶକ ଥିଲେ ନିତାଇ ପାଲିତ । ଭକ୍ତ ଓ ଭଗବାନଙ୍କର ଅନାବିଳ ବନ୍ଧୁତ୍ବର କାହାଣୀ ଉପରେ ଆଧାରିତ ‘କୃଷ୍ଣ ସୁଦାମା’ରେ ଅନୀତା ଦାସ ସୁଦାମାଙ୍କ ପତ୍ନୀ ସୁମତୀ ଭୂମିକାରେ ଅଭିନୟ କରିଥିଲେ । ଦାରିଦ୍ର୍ୟ ଓ ଅନାହାର କ୍ଳିଷ୍ଟ ପରିବାର ପତ୍ନି ଓ ବହୁ ସନ୍ତାନଙ୍କ ଜନନୀର ଯେଉଁ ଅନ୍ତର୍ଦହନ ତାକୁ ସଫଳଭାବେ ଉପସ୍ଥାପନ କରିପାରିଥିଲେ ଅନୀତା । ପରବର୍ଷ ଅର୍ଥାତ 1977 ମସିହାରେ ମୁକ୍ତିଲାଭ କରିଥିଲା ଶ୍ରୀ ଜଗନ୍ନାଥଙ୍କ ମହିମା ସମ୍ବଳିତ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ବନ୍ଧୁ ମାହାନ୍ତି’ । ଏଥିରେ ଅନୀତା ଲକ୍ଷ୍ମୀଙ୍କ ଭୂମିକା ନିର୍ବାହ କରିଥିଲେ। ୧୫୦ରୁ ଅଧିକ ଓଡିଆ ସିନେମାରେ ଅନୀତା ଦାସଙ୍କୁ ଦେଖିବାକୁ ମିଳିଛି, କେବେ ମମତାମୟୀ ମା’ ଓ କେବେ ସ୍ନେହମୟୀ ଭାଉଜ ଭୂମିକାରେ । ‘ତଅପୋଇ’ରେ ଥିଲା, ଏମିତି ଏକ ଭାଉଜର ଚରିତ୍ର । 1978ରେ ମୁକ୍ତିଲାଭ କରିଥିଲା ‘ତଅପୋଇ’ । ନିର୍ଦ୍ଦେଶକ ଭାବେ ଏହା ଥିଲା ଶରତ ପୂଜାରୀଙ୍କ ପ୍ରଥମ ଚଳଚ୍ଚିତ୍ର । ଖୁଦୁରୁକୁଣୀ ଓଷାର ବିଷୟବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଏ ଛବିରେ ଅନୀତା ଦାସ କରିଥିଲେ ନାୟିକା ତଅପୋଇର ସ୍ନେହମୟୀ ସାନ ଭାଉଜ ଭୂମିକା । ଅନୀତା ଦାସଙ୍କ ଆଉ ଗୋଟିଏ ପୌରାଣିକ ଚଳଚ୍ଚିତ୍ର ଥିଲା, ‘ମଥୁରା ବିଜୟ’ । 1980ରେ ମୁକ୍ତିଲାଭ କରିଥିଲା ନିର୍ଦ୍ଦେଶକ ଗୋବିନ୍ଦ ତେଜଙ୍କ ଚଳଚ୍ଚିତ୍ର ‘ରାମାୟଣ’ । ‘ରାମାୟଣ’ରେ ଅନୀତା ଦାସଙ୍କୁ ରାବଣର ପତ୍ନୀ ମନ୍ଦୋଦରୀ ଭୂମିକାରେ ଦେଖିବାକୁ ମିଳିଥିଲା ।
ପିତା ବନମାଳି ଦାସ ଓ ମାତା ସତ୍ୟଭାମାଙ୍କ ଔରସରୁ ଅନୀତାଙ୍କ ଜନ୍ମ 1957 ମସିହା , ଅକ୍ଟୋବର 1 ତାରିଖରେ । ଜନ୍ମସ୍ଥାନ, ଯାଜପୁର ରୋଡର ଡୋଲିପୁର । ପିଲାବେଳୁ ସେ ବଢିଥିଲେ ଆଧ୍ୟାତ୍ମିକ ପରିବେଶରେ । ଜଣେ ଓଡିଶୀ ନୃତ୍ୟଙ୍ଗନା ଭାବେ ଶ୍ରୀ ଜଗନ୍ନାଥ ଥିଲେ ତାଙ୍କ ଆରାଧ୍ୟ ଦେବତା । ଚଳଚ୍ଚିତ୍ର ଜଗତରେ ପ୍ରବେଶ କଲା ପରେ ପରେ ମଧ୍ୟ ଆଧ୍ୟାତ୍ମିକ ବିଚାରଧାରାରୁ ସେ ବିଚ୍ୟୁତ ହୋଇନଥିଲେ । ବରଂ ନଜ ଅଭିନୟ ଜୀବନ ସହ ତାକୁ କରିଥିଲେ ଏକାତ୍ମ । ପୌରାଣିକ କାହାଣୀ ନ’ହେଲେ ମଧ୍ୟ ତାଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ରର ନାମ ଥିଲା ଶ୍ରୀ ଜଗନ୍ନାଥଙ୍କ ନାମରେ । ‘ପୁଅ ମୋର କଳା ଠାକୁର’, ‘କୋଟିଏ ମଣିଷ ଗୋଟିଏ ଜଗା’, ‘ରାମ ବଳରାମ’, ‘ବାହୁଡିବେ ମୋ ଜଗାବଳିଆ’ଏହାର ଉଦାହରଣ । 1988ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପୁଅ ମୋର କଳା ଠାକୁର’ରେ ମା’ ଭୂମିକାରେ ଅଭିନୟ କରିଥିଲେ ଅନୀତା । ଭାବ ଦଗ୍ଧ ହୋଇ ଖୋଜିଥିଲେ, କଳା ଠାକୁରକୁ । ସବ୍ୟସାଚୀ ମହାପାତ୍ରଙ୍କ ‘ବାହୁଡିବେ ମୋ ଜଗା ବଳିଆ’ର ପୁନର୍ଜନ୍ମ କାହାଣୀରେ ଜଗାବଳିଆଙ୍କୁ ଫେରି ପାଇବା ପାଇଁ ତାଙ୍କ ବିଶ୍ବାସ ଓ ଭକ୍ତି ଆକୃଷ୍ଟ କରିଥିଲା ଦର୍ଶକଙ୍କୁ । କିଛି ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିଥିଲେ ଅନୀତା ଦାସ । ପୌରାଣୀକ ଚରିତ୍ର ଯଶୋଦା କିମ୍ବା ଦେବକୀର ଭୂମିକାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି ।
ଉପସ୍ଥାପନ : ସୁବ୍ରତ ଜେନା