ପୂର୍ବତନ ସାମରିକ କର୍ମଚାରୀଙ୍କ ବିରୋଧରେ ସ୍ତ୍ରୀ ହତ୍ୟା ଅଭିଯୋଗ: ଘର ଚାଳରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହେଲା ଶବ
9/11/2018 at 6:04 PM

ଜଗତସିଂହପୁର ୯|୧୧: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଆମ୍ବଶାଳ ଗାଁରେ ପାରିବାରିକ କଲହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କର ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ନେଇ ମୃତ ମହିଳାଙ୍କ ଭାଇ ବାଲିକୁଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ସ୍ଥାନୀୟ ଓଚିଂଦା ଗାଁର ଶିବ ଚରଣ ପଣ୍ଡା ଙ୍କ ଝିଅ କଳ୍ପନା ଗତ ୧୪ବର୍ଷ ତଳେ ଆମ୍ବଶାଳ ଗାଁର ନିରଞ୍ଜନ ପଣ୍ଡାଙ୍କ ପୁଅ ଜିତେନ ପଣ୍ଡାଙ୍କୁ ବିବାହ କରିଥିଲେ । ଜିତେନ ସେନାବାହିନୀରେ ଚାକରି କରି ବାହାରେ ରହୁଥିଲେ। ଗତ ୯ ମାସ ହେଲା ସେ ଚାକରିରୁ ଅବସର ନେଇ ଘରକୁ ଫେରିଥିଲେ । ତେବେ ସେ ଅତ୍ୟଧିକ ମଦ୍ୟପାନ କରି ଘରେ ସ୍ତ୍ରୀକୁ ମାରପିଟି କରିବା ସହିତ ବାରମ୍ବର ଘରେ ଝଗଡା ହେଉଥିଲା । ୨ ମାସ ତଳେ ଏ ବାବଦରେ ଉଭୟ ପରିବାର ଲୋକେ ଓ ଗ୍ରାମବାସୀ ବସି ଘଟଣାର ସମାଧାନ କରିଥିଲେ ।
ହେଲେ ଗତକାଲି ରାତିରେ କଳ୍ପନାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । କଳ୍ପନା ଘର ଚାଳରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ତାର ଶାଶୁ ଘର ଲୋକେ କହିଛନ୍ତି ।ଅନ୍ୟପକ୍ଷରେ ତାଙ୍କୁ ମାରି ଦେବା ପରେ ଚାଳରେ ଟାଙ୍ଗି ଦିଆଯାଇ ଥିବାର ବାପ ଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପାଇ ବାଲିକୁଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି । ପୋଲିସ ଘଟଣାର ସଠିକ ତଦନ୍ତ କରି ଆଵଶ୍ୟକୀୟ ପଦକ୍ଷପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।