ପୁରୀରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଗନ୍ଧରେ ଫାଟୁଛି ସାରା ଅଞ୍ଚଳ
9/06/2018 at 10:58 PM

ବିପର୍ଯ୍ୟସ୍ତ ହୋଇ ପଡ଼ିଛି ପୁରୀ ସହରର ପରିମଳ ବ୍ୟବସ୍ଥା। ନାଳ ଭିତରେ ଓ ବାହାରେ ଜମି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ନର୍ଦ୍ଦମା ଗନ୍ଧରେ ସଂପୁର୍ଣ୍ଣ ଅଞ୍ଚଳ ଫାଟି ପଡ଼ୁଥିବାବେଳେ ବଡ଼ଦାଣ୍ତରେ ଏବେ ପୋକ ସାଲୁ ବାଲୁ ହୋଇ ଚାଲୁଥିବା ଦେଖିବାକୁ ମିଳିଛି। ସେପଟେ ପୌରସଂସ୍ଥା ଅଧିକାରୀ ଘଟଣାକୁ ଗୁରୁତର ସହ ନେଇଥିବା ବେଳେ କେଉଁ କାରଣରୁ ଏଭଳି ପରିସ୍ଥିତି ଉପୁଜିଛି ସେନେଇ ଏକ ରିପୋର୍ଟ ଦେବାକୁ OWSS କୁ ଚିଠି କରାଯାଇଥିବା କହିଛନ୍ତି।
ପର୍ଯ୍ୟଟନ ତଥା ଧାର୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ରରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଛି। ନାଳ ଭିତରେ ଓ ବାହାରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମି ରହିଥିବାରୁ ଦୁର୍ଗନ୍ଧରେ ସମଗ୍ର ଅଞ୍ଚଳ ଫାଟି ପଡ଼ୁଛି। ରାସ୍ତା ଉପରେ ପର୍ବତ ଭଳି ନର୍ଦ୍ଦମା ଗଦା ହୋଇ ରହିଥିବାବେଳେ ସେଥିରେ ଏବେ ପୋକ ସାଲୁ ବାଲୁ ହୋଇ ଚାଲୁଥିବା ଦେଖିବାକୁ ମିଳିଛି। ଟିକେ ଦେଖନ୍ତୁ ଭଲଭାବେ ଏହି ଦୃଶ୍ୟକୁ। ଜନତା ସିନେମା ହଲ୍ ସମ୍ମୁଖରେ ଥିବା ନାଳ ଭିତରେ ଓ ବାହାରେ କିଭଳି ଗଦା ହୋଇ ରହିଛି ଅଳିଆ ଆବର୍ଜନା। ରାସ୍ତା ଉପରେ ନର୍ଦ୍ଦମା ଗଦା ହୋଇଥିବାରୁ ବଡ଼ଦାଣ୍ତ ଦେଇ ଯାଉଥିବା ପର୍ଯ୍ୟଟକ, ଭକ୍ତ ଓ ସାଧାରଣ ଲୋକେ ଘୃଣାରେ ଛେପ ପକାଇବା ସହ ନାକରେ ରୁମାଲ୍ ଦେଇ ଯାଉଛନ୍ତି। ପ୍ରଶାସନ ତଥା ପୌରସଂସ୍ଥା ନିକଟରେ ଏନେଇ ବାରମ୍ୱାର ଅଭିଯୋଗ ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି।
କେବଳ ବଡ଼ଦାଣ୍ତ ନୁହେଁ ସହରର ଥିବା ବିଭିନ୍ନ ଗଳିକନ୍ଦି ତଥା ଦୋଳମଣ୍ତପ ସାହି, ମୋଚି ସାହି, ହାଡ଼ଗୋଡ଼ିଆ ସାହି ଏବଂ ବଳଗଣ୍ତି ଛକ ରାୟବାହାଦୁର ଲେନ୍ ଠାରେ କୁଢ଼ କୁଢ଼ ନର୍ଦ୍ଦମା ରାସ୍ତା ଉପରେ ଗଦା ହୋଇ ରହିଥିବା ଦେଖିବାକୁ ମିଳିଛି। ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଭିତରେ ଲୋକଙ୍କ ଅବସ୍ଥାନ ନିମନ୍ତେ ପ୍ରଶାସନ ନିଜର ଉତ୍ତର ଦାୟିତ୍ୱ ଠିକ୍ ଭାବେ ତୁଲାଇବା କଥା। କିନ୍ତୁ ପ୍ରଶାସନର ଠିକାଦାର ପ୍ରୀତି ପାଇଁ ସହରରେ ଏଭଳି ସମସ୍ୟା ଉପୁଜିଥିବା ସାଧାରଣରେ ଅଭିଯୋଗ ହୋଇଛି। ତେବେ ଏସବୁ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହୋଇଯିବ ବୋଲି ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ଘଟଣାକୁ ସେ ଗୁରୁତର ଭାବେ ନେବା ସହ କେଉଁ କାରଣରୁ ଏଭଳି ପୋକ ହୋଇଛନ୍ତି ସେ ନେଇ ଏକ ରିପୋର୍ଟ ଓଡ଼ବ୍ଲୁଏସ୍ଏସକୁ ମଗାଯାଇଛି। ସେହିପରି ପୁରୀ ସହରକୁ ସଫା ସୁତରା ରଖିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରାଯାଉଛି ବୋଲି ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।