ପାଟନା ରେଳ ଷ୍ଟେସନରେ ହଠାତ୍ ଚାଲିଲା ଅଶ୍ଳୀଳ ଭିଡିଓ; ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଟ୍ୟାଗ୍ କଲେ ୟୁଜର୍
20/03/2023 at 5:32 PM

ପାଟନା: ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବିହାର ପାଟନା ରେଳ ଷ୍ଟେସନ୍ରେ ଟ୍ରେନ୍କୁ ଅପେକ୍ଷା କରି ବସିଥିିଲେ ଯାତ୍ରୀ। ପ୍ଲାଟ୍ଫର୍ମ ଲାଗିଥିବା ଟିଭିରେ ଚାଲିଥିଲା ବିଜ୍ଞାପନ। ହେଲେ ହଠାତ୍ ଟିଭିରେ ଚାଲିଲା ଅଶ୍ଳୀଳ ଫିଲ୍ମ। ବଡ଼ ବଡ଼ ଏଲ୍ଇଡି ସ୍କ୍ରିନ୍ରେ ୩ ମିନିଟ ଧରି ଚାଲିଲା ପର୍ଣ୍ଣ ଭିଡିଓ।
ହଠାତ୍ ଅଶ୍ଳୀଳ ଭିଡିଓ ଦେଖି ଅପ୍ରସ୍ତୁତ ହୋଇଯାଇଥିଲେ ଯାତ୍ରୀ। କିଛି ଯାତ୍ରୀ ଏହାକୁ ମୋବାଇଲ୍ରେ ରେକର୍ଡିଂ କରିଥିବା ଦେଖିବାକୁ ମିଳିଥିଲା। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ରବିବାର ସକାଳ ପ୍ରାୟ ସଢ଼େ ୯ଟା ବେଳେ ଏହି ଅଘଟଣା ଘଟିଥିଲା। ରେଷ ଷ୍ଟେସନରେ ପର୍ଣ୍ଣ ଭିଡିଓ ଚାଲିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାରେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରି ତୁରନ୍ତ ସରକାରୀ ରେଳବାଇ ପୁଲିସ(ଜିଆର୍ପି) ଓ ରେଳବାଇ ସୁରକ୍ଷା ବଳ(ଆର୍ପିଏଫ୍)ଙ୍କ ପାଖରେ ଅଭିଯୋଗ କରିଥିଲେ।
ରେଳବାଇ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାର ବିଳମ୍ବ କରିବାରୁ ଆର୍ପିଏଫ୍ ବିଜ୍ଞାପନ ଦେଖାଉଥିବା ସଂସ୍ଥା ଦତ୍ତ କମ୍ୟୁନିକେଶନକୁ ଅଭିଯୋଗ କରି ତୁରନ୍ତ ପର୍ଣ୍ଣ କ୍ଲିପ୍ ବନ୍ଦ କରିବାକୁ କହିଥିଲା। ଘଟଣାକୁ ନେଇ ରେଳବାଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।
ରେଳ ଷ୍ଟେସନ୍ରେ ବିଜ୍ଞାପନ ଦେଖାଇବା ପାଇଁ ଅନୁମତି ଦିଆଯାଇଥିବା ଦତ୍ତ କମ୍ୟୁନିକେସନ ସହ ଚୁକ୍ତି ରଦ୍ଦ କରିଥିଲା ରେଳ ବିଭାଗ। ତା ସହ ସଂସ୍ଥା ବିରୋଧରେ ମାମଲା ଦାୟର କରି ଏହାକୁ କଳା ତାଲିକାଭୁକ୍ତ କରିବା ସହ ଫାଇନ ବି ଲଗାଇଥିଲା। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓକୁ ଜଣେ ୟୁଜର ବିହାର ମୁଖ୍ୟନ୍ତ୍ରୀ ନୀତୀଶ କୁମାର ଓ ରେଳମନ୍ତ୍ରୀଙ୍କୁ ଟ୍ୟାଗ୍ କରିଛନ୍ତି।
ଏହି ଘଟଣାରେ ରେଳ ବିଭାଗ ସ୍ୱତନ୍ତ୍ର ଭାବେ ତଦନ୍ତ କରୁଛି। ରେଳ ଷ୍ଟେସନ୍ରେ ଏତେ ପ୍ଲାଟଫର୍ମ ଥିବା ବେଳେ କେବଳ ୧୦ ନମ୍ବର ପ୍ଲାଟଫ୍ର୍ମରେ କାହିଁକି ଏଭଳି ଘଟଣା ହେଲା ସେ ନେଇ ମଧ୍ୟ ପଚରାଉଚରା ଜାରି ରହିଛି।