ପଶ୍ଚିମବଙ୍ଗ ରାଜନୀତିରେ ଟ୍ଵିଷ୍ଟ, ଏବେ ନୂତନ ରାଜ୍ୟପାଳ ଏବଂ ମମତାଙ୍କ ମଧ୍ୟରେ ତେଜିପାରେ ବିବାଦ !
20/02/2023 at 8:19 AM

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ନୂତନ ରାଜ୍ୟପାଳଙ୍କୁ ନେଇ ପଶ୍ଚିମବଙ୍ଗରେ ପୁଣି ଥରେ ରାଜନୀତି ତେଜିପାରେ। ନୂତନ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଗୋଟିଏ ନିଷ୍ପତ୍ତି ବିବାଦର କାରଣ ପାଲଟିପାରେ। ନିକଟରେ ରାଜ୍ୟର ବଜେଟ୍ ଅଧିବେଶନ ସମୟରେ ବୋଷ ନିଜର ଭାଷଣ କାରଣରୁ ବିରୋଧୀ ଦଳ ବିଜେପିର ଟାର୍ଗେଟ୍ରେ ଆସିଥିଲେ। ଏହା ପୂର୍ବରୁ ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନର ରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ମମତା ସରକାରଙ୍କ ମଧ୍ୟରେ ସର୍ବଦା ଟଣାଓଟରା ଏବଂ ବିବାଦ ଜାରି ରହିଥିଲା।
ଗତ ସପ୍ତାହରେ ରାଜ୍ୟପାଳ ବୋଷ ନିଜର ମୁଖ୍ୟ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ସେବାରୁ ମୁକ୍ତ କରିଥିଲେ। ରାଜଭବନରେ ନୂତନ ଟିମ୍ ଗଠନ ପରେ ଏମିତି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ସରକାରୀ ଅଧିକାରୀଙ୍କ ଅନୁଯାୟୀ, ରାଜ୍ୟର ସାମ୍ବିଧାନିକ ପ୍ରମୁଖ ଭାବେ ବୋଷ ରାଜଭବନକୁ ନିଜ ହିସାବରେ ପରିଚାଳନା କରିବାକୁ ଚାହାନ୍ତି। ତାଙ୍କ କାର୍ଯ୍ୟାଳୟର କାମ ଦେଖାରେଖା କରିବା ପାଇଁ ଏକ ନୂତନ ଟିମ୍ ଗଠନ କରାଯାଉଛି। ଏହି ଟିମ୍ ଖୁବ୍ ଶୀଘ୍ର ରାଜଭବନରେ ନିଜର କାର୍ଯ୍ୟ ଆରମ୍ଭ କରିଦେବେ।
ନୂତନ ରାଜ୍ୟପାଳଙ୍କ ଏମିତି ଆଭିମୁଖ୍ୟ କାରଣରୁ ରାଜଭବନ ଏବଂ ରାଜ୍ୟ ସରକାରଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ। ରାଜଭବନର ମୁଖ୍ୟ ସଚିବଙ୍କୁ ନେଇ ହୋଇଥିବା ନିଷ୍ପତ୍ତି ଉପରେ ତୃଣମୂଳ କଂଗ୍ରେସର ମୁଖପାତ୍ର କୃଣାଲ ଘୋଷ କହିଛନ୍ତି, ଯେ ପର୍ଯ୍ୟନ୍ତ ରାଜ୍ୟପାଳ ଆଇନ ପ୍ରାବଧାନ ହିସାବରେ କାମ କରିବେ ଏବଂ ଶିଷ୍ଟାଚାର ବଜାୟ ରଖିବେ, ତେବେ ଆମ ପକ୍ଷରୁ ମଧ୍ୟ ଶିଷ୍ଟାଚାର କାଏମ ରହିବ। ଯଦି ରାଜ୍ୟପାଳ ରାଜ୍ୟ ସରକାରଙ୍କ ବିରୋଧରେ ନିଜର ସୀମା ଅତିକ୍ରମ କରି କାମ କରିବେ ତେବେ ଆମ ବ୍ୟବହାରରେ ବି ପରିବର୍ତ୍ତନ ଘଟିବ। ଏଥିରୁ ଅନୁମାନ କରାଯାଉଛି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ନୂତନ ରାଜ୍ୟପାଳଙ୍କ ମଧ୍ୟରେ ସଂପର୍କ ସେତେଟା ସ୍ଵାଭାବିକ ରହିବ ନାହିଁ।