ପାକିସ୍ତାନକୁ ତାଲିବାନର ଧମକ, ଟ୍ବିଟ୍ କରି ୧୯୭୧ ଯୁଦ୍ଧ ମନେପକାଇଲେ ନେତା, କହିଲେ ଆକ୍ରମଣ କଲେ ହେବ ଆକ୍ସନ ରିପ୍ଲେ
3/01/2023 at 8:53 AM

ନୂଆଦିଲ୍ଲୀ: ପାକିସ୍ତାନରୁ ତାଲିବାନ ନେତାଙ୍କ ଯୁଦ୍ଧ ଧମକ୍ । ଭାରତ-ପାକିସ୍ତାନ ୧୯୭୧ ଫଟୋ ସେୟାର କରି ଆଉ ଏକ ଯୁଦ୍ଧର ଚେତାବନୀ ଦେଉଛି ତାଲିବାନ । କତରରେ ତାଲିବାନର ବରିଷ୍ଠ ନେତା ଅହମ୍ମଦ ୟାସିର ଟ୍ବିଟ୍ କରି ୧୯୭୧ ଭଳି ଅବସ୍ଥା କରିବେ ବୋଲି କହିଛନ୍ତି । ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ପାକିସ୍ତାନ-ଆଫଗାନିସ୍ଥାନ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି । ଅଧିକାଂଶ ସମୟରେ ଯୁଦ୍ଧର ଧମକ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ତହରିକ୍-ଏ-ତାଲିବାନ ପାକିସ୍ତାନ । ଟିଟିପିକୁ ନେଇ ପାକିସ୍ତାନ ବାରମ୍ବାର କଡ଼ା ଅଭିମୁଖ୍ୟ ଦେଖାଉଛି । ଏନେଇ ତାଲିବାନର ବରିଷ୍ଠ ଅଧିକାରୀ ଅହମ୍ମଦ ୟାସିର ଟ୍ବିଟ୍ କରି ୧୯୭୧ ଯୁଦ୍ଧର ପୁନରାବୃତ୍ତି ହେବ ବୋଲି ଧମକ ଦେଇଛନ୍ତି । ୟାସିର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପାକିସ୍ତାନ ସେନା ଅଧିକାରୀ ଆତ୍ମସମର୍ପଣ କରି ଚୁକ୍ତି ପତ୍ରରେ ଦସ୍ତଖତ କରୁଛନ୍ତି ।
୧୯୭୧ ଇଣ୍ଡୋ-ପାକ୍ ଯୁଦ୍ଧରେ ପାକିସ୍ତାନ ସେନା ଭାରତ ସାମ୍ନାରେ ଆତ୍ମସମର୍ପଣ କରିଥିଲା । ପଶ୍ଚିମ ପାକିସ୍ତାନ ଠାରୁ ପୂର୍ବ ପାକିସ୍ତାନ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା । ଏହି ଯୁଦ୍ଧରେ ପ୍ରାୟ ୭୧ ହଜାର ପାକିସ୍ତାନୀ ସୈନ୍ୟ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଥିଲେ । ପାକିସ୍ତାନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅମିର ଅବ୍ଦଦୁହ୍ଲା ଖାନ୍ ନିଆଜି ଚୁକ୍ତି ପତ୍ରରେ ଦସ୍ତଖତ କରିଥିଲେ ।
ପାକିସ୍ତାନ ଗୃହମନ୍ତ୍ରୀ ଆଫଗାନିସ୍ଥାନରେ ଲୁଚିଥିବା ଟିଟିପି ସଂଗଠନ ଠିକଣାରେ ଆକ୍ରମଣ କରିବା ବୟାନ ଦେବା ପରେ ୧୯୭୧ ଯୁଦ୍ଧ ଦୋହରାଇବା ଧମକ ଦେଇଛନ୍ତି ତାଲିବାନ ନେତା ।