ନ୍ୟୁଜ୍ ସେଭେନରେ ରାଣୀଗଡ଼ ଗୁମ୍ମା ପଥର କ୍ବାରୀ କାରନାମା ପ୍ରସାରଣ ପରେ ମୁହାଁମୁହିଁ ପରିସ୍ଥିତି
13/06/2018 at 9:36 PM

ନ୍ୟୁଜ୍ ସେଭେନରେ ରାଣୀଗଡ଼ ଗୁମ୍ମା ପଥର କ୍ବାରୀ କାରନାମା ପ୍ରସାରଣ ପରେ ମୁହାଁମୁହିଁ ପରିସ୍ଥିତି । ତେଢ଼ାତେଢ଼ି ହୋଇଛନ୍ତି ଜୟପୁରର ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ତାରାପ୍ରସାଦ ବାହିନୀପତି ଏବଂ ରବି ନନ୍ଦ । ଅଘଟଣର ମୂଳରେ ତହସିଲଦାର ରଞ୍ଜିତା ମଲ୍ଲିକଙ୍କ ଭୂମିକା ପର୍ଦ୍ଦାଫାଶ ଦେବା ପରେ ଏବେ ତାରା-ରବି ଗୋଇ ତଡ଼ାତଡ଼ି ।
ନ୍ୟୁଜ୍ ସେଭେନର ଷ୍ଟିଙ୍ଗ୍ ପରେ ଜୋର୍ ଧରିଲା ଜୟପୁର ତହସିଲଦାର ରଞ୍ଜିତା ମଲ୍ଲିକଙ୍କ ଗିରଫଦାରୀ ଦାବି । ସେ ହିଁ ମାଷ୍ଟର ମାଇଣ୍ଡ୍ । ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସାଇଡ୍ କରି ସେ ହିଁ ଡିଡି ବିଲ୍ଡରକୁ ପଥର ଖନନ ପାଇଁ ଅନୁମତି ଦେଇଥିଲେ । ତେଣୁ ସେ ହିଁ ଅଘଟଣର ମୁଖ୍ୟ କାର୍ପଟଦାର । ତେବେ ଡିଡି ବିଲ୍ଡରକୁ ଅନୁମତି ଦେବା ପଛରେ ତହସିଲଦାର ରଞ୍ଜିତା ମଲ୍ଲିକଙ୍କ ଉପରେ ରାଜନୈତିକ ଚାପ ଥିଲା ନା ଡିଡି ବିଲ୍ଡର ତରଫରୁ ତାଙ୍କୁ ମିଳିଥିଲା ମୋଟା ଅଙ୍କର ଟିପ ଖସା ? ତାଙ୍କରି ଭୁଲ ପାଇଁ ହିଁ ଦୁଇଟି ନିରୀହ ଜୀବନ ଯାଇଛି । ତେଣୁ ତୁରନ୍ତ ରଞ୍ଜିତା ମଲ୍ଲିକଙ୍କୁ ଚାକିରିରୁ ବରଖାସ୍ତ କରି ଗିରଫ କରିବାକୁ ଦାବି କରିଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରା ବାହିନୀପତି । କେବଳ ସେତିକି ନୁହେଁ, ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନେ ଜୟପୁରରେ ଅଧିକାଂଶ ପଥର କ୍ବାରୀ ପରିଚାଳନା କରୁଛନ୍ତି । ରବି ନନ୍ଦଙ୍କ ସୁପାରିଶରେ ହିଁ ରଞ୍ଜିତା ଏଠାରେ ତହସିଲଦାର ଭାବେ ନିଯୁକ୍ତି ପାଇଥିବା କହିଛନ୍ତି ତାରା । ଡିଡି ବିଲ୍ଡର ବିରୋଧରେ ମଧ୍ୟ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେ ।
ତାରାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର ରବି ନନ୍ଦ । ତହସିଲଦାରଙ୍କ ନିଯୁକ୍ତି ଏକ ପ୍ରାଶାସନିକ ପ୍ରକ୍ରିୟା । ସେଥିରେ ତାଙ୍କର ହାତ ନଥିବା ସେ କହିଛନ୍ତି । ତେବେ ଫ୍ରଣ୍ଟଲାଇନ୍ ଏବଂ NMDC କଂପାନିଙ୍କୁ କିଏ ପଥର ସପ୍ଲାଏ କରୁଛି କହି ତାରାଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି ରବି । ଜଗଦଲପୁର ବିଧାୟକ ଓ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ମଧ୍ୟରେ କି ସମ୍ପର୍କ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଡିଡି ବିଲ୍ଡର ସହ ତାଙ୍କର କିଛି ବି ସମ୍ପର୍କ ନଥିବା କହିଛନ୍ତି ରବି । ତେବେ ରବି ନନ୍ଦଙ୍କ ମନ୍ତବ୍ୟ ଉପରେ ଫଟାଫଟ୍ ରିଆକସନ୍ ଦେଇଛନ୍ତି କତାରା । ଫ୍ରଣ୍ଟଲାଇନ୍ ଏବଂ NMDC କଂପାନି ସହ ତାଙ୍କର ସମ୍ପର୍କ ଥିଲେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଛନ୍ତି । ଆଉ ରବି ନନ୍ଦଙ୍କୁ ମଧ୍ୟ ସମାନ ଚ୍ୟାଲେଞ୍ଜ ମାରିଛନ୍ତି ।