‘ନିପାହ’ ଭାଇରସ୍ ଆତଙ୍କ
21/05/2018 at 11:47 PM

କେରଳ କୋଝିକୋଡ୍ ଏବଂ ମାଲାପୁରମ ଜିଲ୍ଲାରେ ନିପାହ ଭାଇରସ୍ ଆତଙ୍କ । ଏହି ଘାତକ ଭାଇରସ୍ ଏପର୍ଯ୍ୟନ୍ତ ୧୦ଜଣଙ୍କ ଜୀବନ ନେଲାଣି । ୬ରୁ ଅଧିକ ଆକ୍ରାନ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୨୫ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ଏହି ଭାଇରସ୍ ସଂପର୍କରେ ଅଧିକ ଅନୁଧ୍ୟାନ ଲାଗି ପ୍ରଭାବିତ ଇଲାକାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚିଛି ।
ଗତ ୧୫ଦିନ ଧରି କେରଳର ଦୁଇଟି ଜିଲ୍ଲାରେ ଘାତକ ସାଜିଛି ନିପାହ ଭାଇରସ୍ । ଦୁଇଟି ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଏହି ଭାଇରସ୍ । ପୁନେ ସ୍ଥିତ National Virology Institute ଭାଇରସ ଜନିତ ମୃତ୍ୟୁ ନେଇ ସ୍ପଷ୍ଟ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ହାଇ ଆଲର୍ଟ ଜାରି କରିଛି । ପ୍ରଭାବିତ ଇଲାକାରେ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ଟିମ୍ । ଏହି ଭାଇରସ୍ ର ମୁକାବିଲା ଲାଗି ଏଯାଏ କୌଣସି ଭାକସିନ୍ ବାହାରି ନାହିଁ । ତେଣୁ ଆକ୍ରାନ୍ତଙ୍କୁ ଇନଣ୍ଟେନସିଭ୍ କେୟାରରେ ରଖି ଚିକିତ୍ସା କରିବା ବ୍ୟତିତ ଆଉ କିଛି ବାଟ ନାହିଁ ।
ନିପାହ ଭାଇରସ୍ ଦ୍ବାରା ଆକ୍ରାନ୍ତଙ୍କର ୩ରୁ ୧୪ଦିନ ଧରି ଅତ୍ୟଧିକ ଜ୍ବର ହେବା ସହ ମୁଣ୍ଡବିନ୍ଧା, ଅବଶ, ମତିଭ୍ରମ ଦେଖାଯାଇଥାଏ । ତୁରନ୍ତ ଚିକିତ୍ସା ନହେଲେ ୪୮ଘଣ୍ଟା ଭିତରେ ଆକ୍ରାନ୍ତ କୋମା ସ୍ଥିତିରେ ପହଞ୍ଚି ଯାଇପାରେ । ଡାକ୍ତରଙ୍କ ଅନୁଯାୟୀ ନିପାହ ଭାଇରସ୍ ବ୍ୟାପିବା ପଛରେ ବାଦୁଡିର ବଡ ଭୂମିକା ରହିଛି । ନିପାହ ଭାଇରସ୍ ଆକ୍ରାନ୍ତ ବାଦୁଡି ଖାଇଥିବା ଫଳ ଖାଇବା ଦ୍ବାରା ବା ଏହାର ସଂସ୍ପର୍ଶରେ ଆସିବା ଦ୍ବାରା ରୋଗ ବ୍ୟାପିଥାଏ । ତେଣୁ ମାଟିରେ ପଡିଥିବା ଫଳ ଖାଇବା ସଂପୂର୍ଣ୍ଣ ଅନୁଚିତ । ଆକ୍ରାନ୍ତ ଘୁଷୁରୀ ମଧ୍ୟ ନିପାହ ଭାଇରସ୍ର ବଡ ବାହକ । ଅନ୍ୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ଭାଇରସ ବ୍ୟାପେ ।
୧୯୯୮ରେ ଏହି ଭାଇରସ୍ ପ୍ରଥମେ ମାଲେସିଆରେ ବ୍ୟାପିଥିଲା । ପ୍ରଥମେ ଦେଖିବାକୁ ମିଳିଥିବା କାପୁଙ୍ଗ ସୁଗଇ ନିପାହ ଗାଁ ଅନୁଯାୟୀ ଭାଇରସ୍ର ନାଁ ରହିଛି ନିପାହ । କେରଳ ଆଗରୁ ୨୦୦୧ ଏବଂ ୨୦୦୭ରେ ପଶ୍ଚିମବଙ୍ଗରେ ମଧ୍ୟ ନିପାହ ଭାଇରସ୍ ବ୍ୟାପିଥିଲା । ଏହି ସମୟରେ ୭୧ଜଣ ଆକ୍ରାନ୍ତଙ୍କ ଭିତରୁ ୫୦ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏବେ କେରଳରେ ଦେଖିବାକୁ ମିଳିଛି । ମାରାତ୍ମକ ନିପାହ ଭାଇରସଠୁ ବଞ୍ଚିବା ପାଇଁ ଆବଶ୍ୟକ ହେଉଛି କେବଳ ସତର୍କତା ।