ନନ୍ଦିଘୋଷ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ଗହଳିକୁ ଯାଇ ଭିଡ ଭିତରେ କାଳିଆ ଠାକୁରଙ୍କୁ କଲେ ଦର୍ଶନ
20/06/2023 at 5:45 PM

ପୁରୀ ୨୦/୦୬: ବଡଦାଣ୍ଡରେ ଭକ୍ତ ଭଗବାନ ଏକ । ଗୁଣ୍ଡିଚାବାଡି ଅଭିମୁଖେ ଏବେ ତିନି ରଥ । ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପ୍ରବଳ ଭିଡରେ ତିନି ରଥକୁ ଟାଣି ନେଇଛନ୍ତି ଲୋକେ । ତେବେ ଭକ୍ତଙ୍କ ସହ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭକ୍ତଙ୍କ ସହ ଭିଡିରେ ମିଶି ରଥ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଥିଲେ 5T ସଚିବ ଭିକେ ପାଣ୍ଡିଆନ । କେବଳ 5T ସଚିବ ନୁହେଁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ବି ସାମିଲି ଥିଲେ । ଆହୁରି ବି ଅନେକ ମନ୍ତ୍ରୀ ସାମିଲ ଥିଲେ । ଭିଡ ଭିତରେ ବଡଦାଣ୍ଡରେ ରଥ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନନ୍ଦିଘୋଷ ରଥ ପାଖକୁ ଯାଇ ରଥ ଟାଣିଲେ ନବୀନ ।

ସୂଚନା ଥାଉକି, ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡରେ ଗଡିଲା ତିନି ରଥ । ମାଉସୀ ମା’ ମନ୍ଦିର ଅଭିମୁଖେ ଗଡିଚାଲିଛି ତିନି ରଥ । ପ୍ରଥମେ ବଡ ଠାକୁର ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାହୋଇଛି । ଶେଷରେ କଳାଠାକୁର ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଥିଲା । ବଡ ଦାଣ୍ଡରେ ଲାଗିଛି ଲକ୍ଷ ଲକ୍ଷ ଲୋକଙ୍କ ଭିଡ । ଗରମ ଓ ଗୁଳୁଗୁଳି ସତ୍ତ୍ବେ ଉତ୍ସାହର ସହ ବଡଦାଣ୍ଡରେ ୩ ରଥ ଟାଣି ନେଉଛନ୍ତି ଭକ୍ତ ।

ରଥରେ ବସି ମାଉସୀ ମା’ ଘର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି ଯାତ୍ରା ଆରମ୍ଭ କରିଛନ୍ତି । ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହେବା ପରେ ରଥ ଉପରେ ଛେରାପହଁରା କରିଥିଲେ ଗଜପତି ମହାରାଜା । ସୁନା ଝାଡ଼ୁରେ ଛେରାପହଁରା କରିଥିଲେ ଗଜପତି । ପରେ ରଥରେ ବିଜେ କଲେ ପ୍ରଭୁ ଶ୍ରୀ ମଦନମୋହନ ଓ ରାମକୃଷ୍ଣ । ଛେରାପହଁରା ସରିବା ପରେ ଚାରମାଳ ଫିଟିଥିଲା । ପରେ ରଥ ଗଡିଥିଲା ।