ଦୁର୍ଘଟଣାରେ ହୋଇଥିଲା ମୃତ୍ୟୁ, ଦୁଇ ବର୍ଷ ପରେ ମିଳିଲା ୨ ଲକ୍ଷର କ୍ଷତିପୂରଣ
7/09/2022 at 2:21 PM

ଭଦ୍ରକ ୦୭।୦୯ : ଦୁଇ ବର୍ଷ ପରେ ମିଳିଲା ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ । ସହାୟତା ମିଳିବା ପରେ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଯାଇଛି ।
ଖବର ଅନୁଯାୟୀ, ଜାନୁୟାରୀ ମାସ ୨ ତାରିଖ ୨୦୨୦ରେ ଧାମନଗର ଉର୍ତ୍ସ ଉତ୍ସବରେ ଯୋଗ ଦେଇ ଶ୍ରଦ୍ଧାଳୁ ମାନଙ୍କୁ ନେଇ ଫେରୁଥିବା ବସ ବନ୍ତ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସହ ଭଦ୍ରକ ଜିଲ୍ଲା ସେକ ନିଜାମୁଦ୍ଦିନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ତରଫରୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଥିଲା । କିନ୍ତୁ ଏହି ଟଙ୍କା ନମିଳିବାରୁ ମୃତକଙ୍କ ପରିବାର ଲୋକେ ସ୍ଥାନୀୟ କାଉନସିଲର ହେମନ୍ତ ସାହୁଙ୍କୁ ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ଓ ପରେ ଅନଶନ କରିଥିଲେ ।
ତେବେ ପ୍ରାୟ ଦୁଇ ବର୍ଷ ପରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳିଛି । ସହାୟତା ପାଇବା ପରେ ମୃତକଙ୍କ ସ୍ତ୍ରୀ , ୩ ଝିଅ ସ୍ଥାନୀୟ କାଉନସିଲର ହେମନ୍ତ ସାହୁ , ଭଦ୍ରକ ପୌରାଧକ୍ଷା ଗୁଲମକ୍କି ହବିବିଙ୍କ ସହ ସ୍ଥାନୀୟ ଲୋକେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।