ତାମିଲନାଡ଼ୁ କୁଡ୍ଡାଲୋରେ ସିରିଜ୍ ଦୁର୍ଘଟଣା; ଗୋଟିଏ ପରିବାରର ୫ମୃତ
3/01/2023 at 10:21 AM

ଚେନ୍ନାଇ: ତାମିଲନାଡ଼ୁରେ ସିରିଜ୍ ଦୁର୍ଘଟଣା । କୁଡ୍ଡାଲୋର ଜିଲ୍ଲାର ଓ୍ବେୟପୁର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗାଡ଼ି ଚାଳକଙ୍କ ସମେତ ୨ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି । ମୃତକଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନଥିବା ପୋଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ତ୍ରିଚି-ଚେନ୍ନାଇ ଜାତୀୟ ରାଜପଥ ଓ୍ବେୟପୁର ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି । ୨ଟି ବସ୍, ୨ଟି ଟ୍ରକ୍ ଓ ୨ଟି କାର୍ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ଖବର ପାଇବା ପରେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ୫ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜୁଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି ।