ଡିଏମ ମ୍ୟାଡମଙ୍କ ଗାଈ ଅସୁସ୍ଥ, ଚିକିତ୍ସାରେ ଲାଗିଛନ୍ତି ୭ ସରକାରୀ ଡାକ୍ତର, ଆଦେଶ ଲେଟର ଭାଇରାଲ
12/06/2022 at 5:53 PM

ଫତେପୁର: ଦେଶର ଅଧିକାଂଶ ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି । ସାଧାରଣ ରୋଗୀଙ୍କୁ ଡାକ୍ତରୀ ଚିକିତ୍ସା ମିଳିବା ମୁସ୍କିଲ । ଆଉ ସେଠାରେ ଗୋଟିଏ ଅସୁସ୍ଥ ଗାଈର ଚିକିତ୍ସାରେ ଲାଗିପଡିଛନ୍ତି ସାତ ଡାକ୍ତର । ଏମିତି ଘଟଣା ଉତ୍ତର ପ୍ରଦେଶରୁ ସାମ୍ନାରୁ ଆସିଛି । ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାର ଜିଲ୍ଲାପାଳ ଅପୂର୍ବା ଦୁବେଙ୍କ ଗାଈ ଅସୁସ୍ଥ ହୋଇ ପଡିଛି । ଆଉ ଗାଈର ଚିକିତ୍ସାରେ ସାତ ସରକାରୀ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଡାକ୍ତରଙ୍କ ଏହି ଦଳ ସକାଳୁ ସନ୍ଧ୍ୟା ଯାଏଁ ଗାଈର ଚିକିତ୍ସା ଉପରେ ରିପୋର୍ଟ ଦେବେ । ରବିବାର ଏହାର ଚିଠି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଏହା ପରେ ସରକାରୀ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଫତେପୁର ଜିଲ୍ଲାର ଜିଲ୍ଲାପାଳ ଅପୂର୍ବା ଦୁବେଙ୍କ ଗାଈର ସ୍ୱାସ୍ଥ୍ୟବସ୍ଥା ବିଗିଡିବାପରେ ପଶୁ ଚିକିତ୍ସା ବିଭାଗ ପାଳି କରି ସାତ ଡାକ୍ତରଙ୍କୁ ଡ୍ୟୁଟିରେ ଲଗାଇଛି । ଏହାର ଏକ ସରକାରୀ ଆଦେଶ ମଧ୍ୟ ହ୍ୱାଟ୍ସଆପ୍ ଗ୍ରୁପରେ ସେୟାର କରାଯାଇଛି । ଏହି ଆଦେଶର ଚିଠିକୁ ଗ୍ରୁପରେ ସାମିଲ୍ କେହି ଜଣେ କର୍ମଚାରୀ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରି ଦେଇଛନ୍ତି । ଏହି ଚିଠି ଫତେପୁର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସନ୍ଦୀପ କୁମାର ତିୱାରୀ ଜାରି କରିଛନ୍ତି । ସେ ଚିଠିରେ କାର୍ଯ୍ୟରେ ହେଳା କଲେ ପଶୁ ଡାକ୍ତରଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ହେଲେ ଚିଠି ସାମ୍ନାକୁ ଆସିବା ପରେ ଏହି ମାମଲାରେ ଜିଲ୍ଲାପାଳ ଅପୂର୍ବା ଦୁବେଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଜୁନ ୯ରେ ଜାରି କରାଯାଇଥିବା ଚିଠି ସଂପ୍ରତି ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଚିଠିରେ ଭିଟୋରାର ପଶୁ ଚିକିତ୍ସା ଅଧିକାରୀ ଡ. ମନୀଷ ଅବସ୍ଥି, ଏରାୟାଁର ପଶୁ ଚିକିତ୍ସା ଅଧିକାରୀ ଡ. ଭୁବନେଶ, ଉକାଥୁର ପଶୁ ଚିକିତ୍ସା ଅଧିକାରୀ ଡ. ଅନିଲ୍ କୁମାର, ଗାଜିପୁରର ପଶୁ ଚିକିତ୍ସା ଅଧିକାରୀ ଡ. ଅଜୟ କୁମାର ଦୁବେ, ମଲୱଁର ପଶୁ ଚିକିତ୍ସା ଅଧିକାରୀ ଡ. ଶିବ ସ୍ୱରୂପ, ଅସୋଥରର ପଶୁ ଚିକିତ୍ସା ଅଧିକାରୀ ଡ. ପ୍ରଦୀପ କୁମାର, ହସୱାର ପଶୁ ଚିକିତ୍ସା ଅଧିକାରୀ ଡ. ଅତୁଲ କୁମାରଙ୍କୁ ଗାଈର ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଡିଏମ ଅପୂର୍ବା ଦୁବେ କାନପୁରର ବର୍ତ୍ତମାନ ଡିଏମ ଥିବା ବିଶାଖ ଜି ଆୟରଙ୍କ ପତ୍ନୀ । ବିଗତ ଦେଢ ବର୍ଷର କାର୍ଯ୍ୟକାଳରେ କୌଣସି ବିବାଦରେ ଆଇଏଏସ ଅପୂର୍ବାଙ୍କ ନାମ ନଥିଲା । ଫତେପୁର ଡିଏମ ଥିବା ଅପୂର୍ବାଙ୍କ ବାସଭବନରେ ବର୍ତ୍ତମାନ ୩ ପାଳିତ ଗାଈ ରହିଛି ।