ଗଞ୍ଜାମ ପୋଲିସର ଆଉ ଏକ ଏନକାଉଣ୍ଟରରେ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ମୋହନ ରାଓ
14/04/2018 at 10:54 PM

ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ଦୁଇ ବର୍ଷ ମଧ୍ୟରେ ୫ ହଜାରରୁ ଉର୍ଦ୍ଧ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ ସହ ୪୪ ଟି ଗୁଳି ବିନିମୟ ହୋଇ ୪୭ ରୁ ଉର୍ଦ୍ଧ ଅପରାଧୀଙ୍କୁ ଏନ୍କାଉଣ୍ଟର କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଏଭଳି ମିଶନ୍ ଆରମ୍ଭ କରିଥିଲେ ତତ୍କାଳୀନ ଏସ୍.ପି ତଥା ବର୍ତ୍ତମାନର ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡି.ଆଇ.ଜି ଆଶିଷ ସିଂହ। ଗତ କିଛି ଦିନ ପୂର୍ବେ ପିନାକ ମିଶ୍ର ବ୍ରହ୍ମପୁର ଏସ୍.ପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଅପରାଧମୁକ୍ତ ଗଞ୍ଜାମ ଜିଲ୍ଲା ଗଠନ କରିବା ମିଶନ୍କୁ ବଳବତ୍ତର ରଖି ଆଶିଷ ସିଂହଙ୍କ ରାସ୍ତାକୁ ଆପଣାଇଛନ୍ତି। ଆଜି ଭୋର ସକାଳୁ ୪ ଘଣ୍ଟା ୪୫ ମିନିଟ୍ ସମୟରେ ସଦର ପୁଲିସ ପକ୍ଷରୁ ଏନ୍କାଉଣ୍ଟର କରାଯାଇଥିଲା। ଦୁର୍ଦ୍ଦାନ୍ତ ଅପରାଧୀ ମୋହନ ରାଓ ବ୍ରହ୍ମପୁର ସଦର ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା। ମୋହନକୁ ଧରିବା ପାଇଁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଝାଡାଙ୍କୁଲି ରାସ୍ତା ନିକଟରେ ପୁଲିସ ମୋହନକୁ ଧରିବାକୁ ଚେଷ୍ଟା କରିଥିବା ବେଳେ ମୋହନ ପ୍ରଥମେ ପୁଲିସ ଉପରକୁ ବୋମା ମାଡ କରିବା ସହ ଗୁଳି କରିଥିଲା। ପୁଲିସ ନିଜର ଆତ୍ମ ସୁରକ୍ଷା ପାଇଁ ପାଲ୍ଟା ଗୁଳି ଚାଳନା କରିଥିଲା। ଏଥିରେ ମୋହନର ଦୁଇଟି ଗୋଡରେ ଗୁଳି ବାଜିଥିଲା। ମୋହନକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୋହନ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି, ଗୋଟିଏ ମୋଟର ସାଇକେଲ୍ ଜବତ କରାଯାଇଥିବା ବେଳେ ତା ନାଁରେ ୧୭ ରୁ ଉର୍ଦ୍ଧ ମାମଲା ରହିଥିବା ସଦର ଏସ୍.ଡି.ପି.ଓ ଅଶୋକ ମହାନ୍ତି କହିଛନ୍ତି। ସେପଟେ ସଦର ଥାନା ଅଧିକାରୀ ଶିବ ଶଙ୍କର ମହାପାତ୍ର, ଏସ୍.ଆଇ ସୂର୍ଯ୍ୟ ପାଢୀ ଦୁଇ ଜଣ ପୁଲିସ କର୍ମଚାରୀ ଆହାତ ହୋଇଥିବା ପୁଲିସ ସୂଚନା ଦେଇଛି। ପିନାକ ମିଶ୍ର ବ୍ରହ୍ମପୁର ଏସ୍.ପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ପ୍ରଥମ ଏନ୍କାଉଣ୍ଟର।