ଗଛକୁ ସାଲାଇନ୍
5/05/2018 at 11:19 AM

ଦେଖନ୍ତୁ ତେଲେଙ୍ଗାନାର ମହାବୁବନଗର ଜିଲ୍ଲାର ପିଲ୍ଲଲମାରି ଅଞ୍ଚଳରେ ଥିବା ଏହି ବୁଢା ବରଗଛକୁ। ଏହି ବିଶାଳକାୟ ଗଛର ବୟସ ସାତ ଶହ ବର୍ଷରୁ ଉର୍ଦ୍ଧ୍ବ ହେବ। ତିନି ଏକର ଧରି ପରିବ୍ୟାପ୍ତ ଏହି ବୁଢା ବରଗଛଟି। ବିଶ୍ବରେ ଏହା ଦ୍ବିତୀୟ ସର୍ବବୃହତ ଗଛର ମାନ୍ୟତା ପାଇଛି। ଏହି ବୁଢା ବରଗଛ ପାଇଁ ପିଲ୍ଲମାରିକୁ ମିଳିଛି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା। ହେଲେ ବିଭିନ୍ନ କୀଟ ପତଙ୍ଗ ଆକ୍ରମଣ ଯୋଗୁ ଗଛଟି ଏବେ ମରି ମରି ଯାଉଛି। ମୂଳରୁ ଆରମ୍ଭ କରି ବିଭିନ୍ନ ଶାଖା ପ୍ରଶାଖା ପୋଲା ହୋଇଗଲାଣି। ତିନିମାସ ତଳେ ଗଛର ଗୋଟିଏ ଗଣ୍ଡି ଉଇ ଖାଇଯିବାରୁ ଭୁଶୁଡିପଡିଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ପିଲ୍ଲଲମାରି ଯିବାକୁ ବାରଣ କରାଯାଇଥିଲା। ଗଛର ଦୟନୀୟ ଅବସ୍ଥାକୁ ଦେଖି ୟାକୁ ବଞ୍ଚାଇବାପାଇଁ ଅଣ୍ଟାଭିଡିଥିଲେ ବନବିଭାଗ କର୍ମଚାରୀ। ଗଛକୁ ସାଲାଇନ ଦେଇଥିଲେ। ପ୍ରଥମେ ଗଛର ମୂଳରେ ସାଲାଇନ୍ ଦିଆଯାଇଥିଲା। ହେଲେ କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା। ପରେ ଗଛର ଶାଖା ପ୍ରଶାଖାରେ ଦିଆଯାଇଥିଲା ସାଲାଇନ୍। ବୁନ୍ଦା ବୁନ୍ଦା ସାଲାଇନ୍ ଗଛକୁ ଦେଇଛି ନୂଆ ଜୀବନ। ମୃତବତ ଗଛଟି ପୁଣି କଅଁଳିବା ଆରମ୍ଭ କଲାଣି। ନୂଆ ନୂଆ ପତ୍ର ଦେଖିବାକୁ ମିଳିଲାଣି। ଖୁବ୍ ଶୀଘ୍ର ପଲ୍ଲିଲାମାରିକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ।