କର୍ଣ୍ଣାଟକରେ ସରକାର ଗଢିଲା ବିଜେପି;ଶପଥ ନେଲେ ବି.ଏସ୍ ୟେଦୁରପ୍ପା
17/05/2018 at 6:28 AM

କର୍ଣ୍ଣାଟକରେ ସରକାର ଗଢିଲା ବିଜେପି । ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବି.ଏସ୍ ୟେଦୁରପ୍ପା । ରାଜ୍ୟପାଳ ବାଜୁଭାଇ ବାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା । ୟେଦୁରପ୍ପା କନ୍ନଡ ଭାଷାରେ ଶପଥ ନେଇଛନ୍ତି । ଏହାକୁ ମିଶାଇ ୟେଦୁରପ୍ପା ତୃତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ତାଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ । ଏହା ପରେ ଅନ୍ୟାନ୍ୟ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ବିଧାନସଭା ନିର୍ବାଚନରେ କେହି ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ ବି ବିଜେପି ୧୦୪ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୮ଟି ଆସନ ଓ ଜେଡିଏସ୍ ୩୮ଟି ଆସନରେ ବିଜୟୀ ହୋଇଥିଲା । ରାଜ୍ୟପାଳ କାହାକୁ ସରକାର ଗଠନ ପାଇଁ ଡାକିବେ ସେ ନେଇ ଦୁଇ ଦିନ ଧରି ଛକାପଞ୍ଛା ପରେ କାଲି ରାତି ୮ ଟା ପରେ ୟେଦିରପ୍ପାଙ୍କୁ ସରକାର ଗଠନ ନିମନ୍ତ୍ରଣ ପଠାଇଥିଲେ ବାଜୁଭାଇ ବାଲା ।ଏହା ପରେ କଂଗ୍ରେସ- ଜେଡିଏସ୍ ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ ଶପଥ ଗ୍ରହଣ ଉତ୍ସବକୁ ରୋକିବାକୁ ସଫାସଫା ମନାକରିଦେଇଥିଲେ ସୁପ୍ରିମ୍ କୋର୍ଟ । ଏହାପରେ ବେଶ୍ ତରବରିଆଭାବେ ଆଜି ଶପଥ ନେଇଛନ୍ତି ୟେଦି । କିନ୍ତୁ ସମୟ କମ୍ ଥିବାରୁ ଉତ୍ସବକୁ ଆସିପାରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଅମିତ ଶାହା । କେବଳ ମୁଖ୍ୟମନ୍ତ୍ରୀ ଭାବେ ୟେଦି ଶପଥ ନେଇଛନ୍ତି । ଆଉ କେହି ମନ୍ତ୍ରୀ ଶପଥ ନେଇ ନାହାନ୍ତି ।