କର୍ଣ୍ଣାଟକରେ ବିଜେପିକୁ ଘେରିବାକୁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ
18/05/2018 at 4:59 AM

ଯେ କୌଣସି ଉପାୟରେ ହେଉ ପଛେ କର୍ଣ୍ଣାଟକରେ ବିଜେପିକୁ ଘେରିବାକୁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ । ଯେଉଁ ଫର୍ମୁଲାରେ ବିଜେପି କର୍ଣ୍ଣାଟକରେ ସରକାର ଗଢ଼ିଲା, ସେହି ଫର୍ମୁଲାରେ ଗୋଆ, ମଣିପୁର ଓ ବିହାରରେ ବି ଲାଗୁ ପାଇଁ କଂଗ୍ରେସ ଦାବି କରିଛି । ୨୦୧୭ ବିଧାନସଭା ନିର୍ବାଚନରେ ୪୦ ଆସନ ବିଶିଷ୍ଟ ଗୋଆରେ କଂଗ୍ରେସ ୧୭ଟି ଆସନ ଜିତି ସର୍ବବୃହତ ଦଳର ମାନ୍ୟତା ପାଇଥିଲା । କିନ୍ତୁ ବିଜେପି ମାତ୍ର ୧୩ଟି ଆସନ ଜିତି ନିଜ ସହଯୋଗୀଙ୍କ ସହ ମିଶି ସରକାର ଗଢ଼ିବାରେ ସଫଳ ହୋଇଥିଲା । ଏଣୁ କର୍ଣ୍ଣାଟକରେ ସର୍ବବୃହତ ଦଳ ଭାବେ ବିଜେପି ଯେପରି ସରକାର ଗଠନ କଲା ସେହିପରି କଂଗ୍ରେସକୁ ମଧ୍ୟ ଗୋଆରେ ସରକାର ଗଠନ କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରିଛି କଂଗ୍ରେସ । ଏଥିପାଇଁ ରାଜ୍ୟ କଂଗ୍ରେସ ନେତା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଭେଟି ସରକାର ଗଠନ ଦାବି କରିବେ । ସେହିପରି ୬୦ ଆସନ ବିଶିଷ୍ଟ ମଣିପୁରରେ କଂଗ୍ରେସକୁ ସବୁଠୁ ଅଧିକ ୨୮ଟି ଆସନ ମିଳିଥିଲେ ବି ସେଠାରେ ସରକାର ଗଢ଼ିବାକୁ ସୁଯୋଗ ଦିଆଯାଇ ନ ଥିବାରୁ ଏ ନେଇ ରାଜ୍ୟପାଳଙ୍କୁ ଭେଟିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂ।ସେହିପରି ବିହାରରେ ଆରଜେଡି ମଧ୍ୟ ସମାନ ଦାବି କରିଛି । ରାଜ୍ୟରେ ତାଙ୍କ ଦଳର ସଂଖ୍ୟାଗରିଷ୍ଠତା ଥିବା ଦାବି କରିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ଏନେଇ ସେ ଆଜି ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଭେଟିବେ ବୋଲି କହିଛନ୍ତି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡିର ୮୦ ଜଣ ବିଧାୟକ ଅଛନ୍ତି ।