କଂଗ୍ରେସ-ବିଜେପି ଟକ୍କର
10/05/2018 at 9:58 AM

ଭୁବନେଶ୍ବର ୧୦/୦୫: ଆସନ୍ତା ୧୨ ତାରିଖରେ ୨୨୪ ଆସନ ବିଶିଷ୍ଠ କର୍ଣାଟକ ବିଧାନସଭା ପାଇଁ ହେବ ମତ ଗ୍ରହଣ । ଜଣେ ପ୍ରାର୍ଥୀଙ୍କ ପରଲୋକ ଯୋଗୁଁ ୨୨୩ଟି ଆସନ ପାଇଁ ମତ ଗ୍ରହଣ ହେବ । ଭୋଟ ଗଣତି ଓ ଫଳାଫଳ ଘୋଷଣା ୧୫ ତାରିଖରେ ହେବ । ୧୨୩ଟି ଆସନ ପାଇଁ ମଇଦାନରେ୨୧୯ଜଣ ମହିଳାଙ୍କ ସମେତ ସମୁଦାୟ ୨୬୫୪ ପ୍ରାର୍ଥୀ ରହିଛନ୍ତି। କର୍ଣାଟକ ବିଧାନସଭାର ୨୨୪ ଆସନ ମଧ୍ୟରୁ ୩୬ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଅନୁସୂତିତ ଜନଜାତି ପାଇଁ ୧୫ଟି ଆସନ ସଂରକ୍ଷିତ ରହିଛି। ରାଜ୍ୟର ୪କୋଟି ୯ ଲକ୍ଷ ମତଦାତା ୧୨ ତାରିଖରେ ୫୬ଲକ୍ଷ ୬୯୬ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।
୨୦୧୩ ବିଧାନସଭା ନିର୍ବାଚନରେ ସର୍ବାଧିକ ୧୨୩ଟି ଆସନରେ ବିଜୟ ଲାଭ କରିଥିବା କଂଗ୍ରେସ ଏବେ କ୍ଷମତାରେ ରହିଛି । କେ. ସିଦ୍ଦାରାମେୟା ମୁଖ୍ୟମନ୍ତ୍ରୀ ଅଛନ୍ତି। ମେ ମାସ ୨୮ ତାରିଖରେ ଏ ସରକାରଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି । ନିର୍ବାଚନୀ ମଇଦାନରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନତା ଦଳ (ଏସ୍) , ଆମ ଆଦମୀ ପାର୍ଟି , ଜନ ସମନ୍ୟରା ପାର୍ଟି, କର୍ଣାଟକ ପ୍ରଜ୍ଞାବନ୍ତ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ଏମ୍), ପ୍ରଜା ପରିବର୍ତ୍ତନ ପାର୍ଟି ଆଦି ପ୍ରମୁଖ ଦଳ ରହିଛନ୍ତି।
ଏଥରର ନିର୍ବାଚନ ତ୍ରିମୁଖୀ ହେବ ବୋଲି ଆଲୋଚନା ହେଉଥିଲେ ମଧ୍ୟ ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଜୋରଦାର ହେବ ବୋଲି ଆକଳନ ହୋଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ସିଦ୍ଦରମେୟା କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ୟେଡୁରପ୍ପା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ସେହିଭଳି ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଜନତା ଦଳ(ଏସ)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କୁମାରସ୍ବାମୀ ବୋଲି କୁହାଯାଉଛି।