ଆଣ୍ଟି ମୋଦି ପୋଷ୍ଟର ବିରୋଧରେ ଦିଲ୍ଲୀ ପୋଲିସର ଆକ୍ସନ; ୧୦୦ରୁ ଅଧିକଙ୍କ ନାଁରେ ମାମଲା, ୬ ଗିରଫ
22/03/2023 at 10:19 AM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ଦିଲ୍ଲୀ ପୋଲିସ । ଏହି ଘଟଣାରେ ପୋଲିସ ୧୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ୬ଜଣଙ୍କୁ ଗରିଫ କରିଛି । ଏନେଇ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ବତନ୍ତ୍ର କମିଶନର ଦୀପେନ୍ଦ୍ର ପାଠକ ।
ପ୍ରିଣ୍ଟିଂ ପ୍ରେସ୍ ଅଧିନିୟମ ଓ ସମ୍ପତ୍ତି ଅଧିନିୟମ ଧାରା ଅନୁଯାୟୀ, ସମସ୍ତ ଅଭିଯୁକ୍ତଙ୍କ ନାଁ FIR ରୁଜୁ କରାଯାଇଛି । ପୋଲିସ ଅଧିକାରୀ କହିବା ମୁତାବକ, ଯେଉଁମାନେ ପୋଷ୍ଟର ଲଗାଇଥିଲେ, ସେଥିରେ ପ୍ରିଣ୍ଟିଂ ପ୍ରେସ୍ର କୌଣସି ସୂଚନା ରହିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦିଲ୍ଲୀରେ ପ୍ରାୟ ୫୦ ହଜାର ପୋଷ୍ଟର ଲାଗିବାର ଯୋଜନା ରହିଥିଲା ବୋଲି ପୋଲିସ ଖୁଲାସା କରିଛି ।
ସେପଟେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର କହିଛନ୍ତି, ଆମ ଆଦମୀ ପୋର୍ଟି କାର୍ଯ୍ୟାଳୟ ବାହାରେ ଏକ ପୋଷ୍ଟର ଭ୍ୟାନକୁ ଅଟକାଇ ପୋଲିସ କିଛି ପୋଷ୍ଟର ଜବତ କରିଛି । ଏହା ସହିତ ସେଣ୍ଟାଲ ଡିଷ୍ଟ୍ରିକ୍ଟ ଥାନାରେ ୨ଟି ଏଫଆଇଆର ସହିତ ରୁଜୁ କରିବା ସହିତ ୩ଜଣଙ୍କୁ ପୋଲିସ ଗିରଫ କରିଛି । ଯେଉଁ ମାନଙ୍କୁ ଗିରଫ କରାଯାଇଛି, ସେମାନେ ହେଲେ ଗାଡ଼ି ମାଲିକ ବିଷ୍ଣୁ ଶର୍ମା, ଡ୍ରାଇଭର ପପ୍ପୁ ଏବଂ ପ୍ରିଣ୍ଟିଂ ପ୍ରେସ୍ ମାଲିକ ।

ପୋଲିସର ସୂଚନା ଅନୁଯାୟୀ, ୨ହଜାର ଆଣ୍ଟି ମୋଦି ପୋଷ୍ଟର ହଟାଯାଇଥିବା ବେଳେ ୨ହଜାର ପୋଷ୍ଟର ଜବତ କରାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୬ଜଣଙ୍କୁ ଗିରଫ କରାଯାଇଛି । ଏତିରେ ୨ଜଣ ପ୍ରିଣ୍ଟିଂ ପ୍ରେସ୍ ମାଲିକ ରହିଛନ୍ତି ।
ଗତକିଛି ଦିନ ହେଲା ରାଜଧାନୀ ଦିଲ୍ଲୀରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଦିଲ୍ଲୀର ଭିନ୍ନ ସ୍ଥାନରେ ଆଣ୍ଟି ମୋଦି ପୋଷ୍ଟର ଲଗାଉଛନ୍ତି । ଏନେଇ ସୂଚନା ମିଳିବା ପରେ ୨ହଜାର ପୋଷ୍ଟର ପୋଲିସ ହଟାଇ ଦେଇଛି ।