ଆଜି ୧୯ ବର୍ଷରେ ପାଦ ଦେଇଛି ନବୀନ ସରକାର
21/05/2018 at 5:27 AM

ଆଜି ମେ ୨୧ । ରାଜ୍ୟ ସରକାରଙ୍କ ଚତୁର୍ଥ ପାଳିର ୪ ବର୍ଷ ପୂରିଛି । ଅର୍ଥାତ୍ ୧୯ ବର୍ଷରେ ପାଦ ଦେଇଛି ନବୀନ ସରକାର । ଯାହାକୁ ନେଇ ଶାସକ ବିଜେଡି ବେଶ ଉତ୍ସାହିତ । ବିଜେଡି ଲୋକଙ୍କ ସହ ଅଛି ଏବଂ ଲୋକଙ୍କ ପାଇଁ କାମ କରୁଛି ବୋଲି ବିଜେଡି ନେତା କହିଛନ୍ତି । ୨୦୧୪ ରୁ ୨୦୧୮, ଏହି ୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏପରି ଅନେକ ଯୋଜନା ହାତକୁ ନେଇଛନ୍ତି । ଯାହାର ସୁଫଳ ତୂଣମୂଳ ସ୍ତରରେ ପହଞ୍ଚି ପାରିଛି । ଏହି ବାର୍ତ୍ତା ବିଜେଡି ନେତା ଲୋକଙ୍କ ନିକଟରେ ପହଞ୍ଚାଇବେ । କୋରପୁଟ ଓ ବାରିପଦାରେ ନୂତନ ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ରମ, ବାଲେଶ୍ବର, ବଲାଙ୍ଗିରରେ ନୂତନ ସରକାରୀ ମେଡିକାଲ କଲେଜରେ ଚଳିତ ଶିକ୍ଷା ବର୍ଷରୁ ଶିକ୍ଷାଦାନ ଆରମ୍ଭ । ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମ, ନିରାମୟ ଯୋଜନା, ନିଦାନ କାର୍ଯ୍ୟକ୍ରମ ରହିଛି । ଚତୁର୍ଥ ବର୍ଷ ରାଜନୈତିକ ଦୃଷ୍ଟିକୋଣରୁ ନବୀନ ପଟ୍ଟନାୟକଙ୍କ ପାଇଁ ଅନେକ ସଫଳତା ଆଣିଛି । ବିଜେପୁର ଉପନିର୍ବାଚନରେ ବିଜେଡି ଏକ ବଡ ବ୍ୟବଧାନରେ ବିଜୟୀ ହୋଇ ଏକ ନମ୍ବର ଦଳ ମର୍ଯ୍ୟଦାକୁ ବଳବତ୍ତର ରଖିଛି । ହିନ୍ଦୋଳ ଅତାବିରା ନିର୍ବାଚନରେ ମଧ୍ୟ ବିଜେଡି ବିଜୟୀ ହୋଇଛି । ସବୁବର୍ଗକୁ ଆକର୍ଷିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଅଧିକରୁ ଅଧିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳ କୃଷୀଜୀବୀଙ୍କ ପର୍ଯ୍ୟନ୍ତ, ଚିଟଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା, ଓଡିଆ ଭାଷକେୁ ସରକାରୀ ଭାଷା ମାନ୍ୟତା ଏହିଭଳି ଅନେକ ବଡ ନିଷ୍ପତ୍ତି ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ରୀଡା କ୍ଷେତ୍ରରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇଛି ।
ବିଜେଡି ସରକାରର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ବସୁଛି ମନ୍ତ୍ରୀ ପରିଷଦ ବୈଠକ । ସଚିବାଳୟରେ ଦିନ ୧୧ଟା ୩୦ ମିନିଟରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ମନ୍ତ୍ରୀମାନଙ୍କର ଗତ ୪ ବର୍ଷର ସଫଳତା ସଂପର୍କରେ ତର୍ଜମା କରାଯିବ । । ନିର୍ବାଚନ ପାଇଁ ବର୍ଷକରୁ କମ ସମୟ ଥିବାରୁ ବୈଠକକୁ ବହୁତ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ କିଛି ଗୁରୁମନ୍ତ୍ର ଦେଇପାରନ୍ତି । ବୈଠକରେ ରାଜ୍ୟ ସରକାରଙ୍କ ସଫଳତା ସଂପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ସମୟରେ ବିଜେଡି ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିଛି ସେ ନେଇ ତର୍ଜମା ହେବ ।