ଫୁଡ୍‌ ଡେଲିଭରୀ ସଂସ୍ଥା ଜୋମାଟୋର ସହ-ସଂସ୍ଥାପକ ଗୌରବ ଗୁପ୍ତା ଛାଡିଲେ କମ୍ପାନୀ, କହିଲେ ଏମିତି…

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪/୦୯ : ଦେଶରେ ଅଗ୍ରଣୀ ଅନଲାଇନ୍‌ ଖାଦ୍ୟ ବିତରଣ ସଂସ୍ଥା ଜୋମାଟୋର ସହ-ସଂସ୍ଥାପକ ଗୌରମ ଗୁପ୍ତା ନିଜ ପଦରୁ ଇସ୍ତଫା ଦେବା ସହିତ ଜୋମାଟୋ ଛାଡିଛନ୍ତି । ସେ ନିଜ ଇସ୍ତଫା ପତ୍ର, କମ୍ପାନୀର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିପିନ୍ଦର ଗୋୟଲଙ୍କ ନିକଟକୁ ପଠାଇଛନ୍ତି । ଗୌରବ ଗୁପ୍ତା ଗତ ୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଜୋମାଟୋର କାର୍ଯ୍ୟଭାର ସମ୍ଭାଳିଥିଲେ । ସେ ଯୋଗାଣ ବିଭାଗର ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ ।

ସହ-ସଂସ୍ଥାପକ ପଦବୀରୁ ଇସ୍ତଫା ଦେବା ପରେ ଗୌରବ କହିଛନ୍ତି, ‘ସେ ନୂଆ କିଛି ଆରମ୍ଭ କରିବାକୁ ଯାଉଛନ୍ତି । କମ୍ପାନୀରେ ୬ ବର୍ଷ ଧରି କାମ କରିଛି । ଜୋମାଟୋକୁ ଆଗକୁ ନେବାକୁ ଚେଷ୍ଟା କରିଛି । ସଫଳ ମଧ୍ୟ ହୋଇଛି । କିନ୍ତୁ ଏବେ ଜୀବନରେ କିଛି ନୂଆ କରିବାକୁ ଚାହୁଁଛି । ସେଥିପାଇଁ ଚାକିରି ଛାଡୁଛି ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଜୋମାଟୋରେ ବିତାଇଥିବା ପ୍ରତିଟି ମୂହୁର୍ତ୍ତ ସ୍ମରଣୀୟ ହୋଇ ରହିବ । କମ୍ପାନୀକୁ ସବୁବେଳେ ଭଲ ପାଉଥିଲି ଆଗକୁ ମଧ୍ୟ ଭଲପାଇବା ସେମିତି ହିଁ ରହିବ । ଆଜି ଜୋମାଟୋ ଯେଉଁ ଉଚ୍ଚତାରେ ପହଞ୍ଚି ପାରିଛି ସେଥିପାଇଁ ଆମେ ସମସ୍ତେ ଗର୍ବିତ । ଜୋମାଟୋ କିଭଳି ଭାବେ ଆହୁରି ଆଗକୁ ବଢିବ ଏବଂ ଭବିଷ୍ୟତରେ ଯାହାବି ହାସଲ କରିବ ସେଥିପ୍ରତି ଆମର ମଧ୍ୟ ଅବଦାନ ଥିବ ।’

କମ୍ପାନୀ ଛାଡିବା ସହିତ ସଂସ୍ଥାର ସଂସ୍ଥାପକ ତଥା ସିଇଓ ଦିପିନ୍ଦର ଗୋୟଲଙ୍କୁ ଧନ୍ୟବାଦ ଦେଇଛନ୍ତି ଗୌରବ ଗୁପ୍ତା । ଏତେ ବଡ କମ୍ପାନୀରେ ସହଯୋଗୀ ଭାବେ କାମ କରିବା ପାଇଁ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ପରସ୍ପର ବିତାଇଥିବା ମୂହୁର୍ତ୍ତଗୁଡିକୁ ଭୁଲିହେବ ନାହିଁ ।

ସୂଚନାଯୋଗ୍ୟ, କମ୍ପାନୀର ସହ-ସଂସ୍ଥାପକ ରହିଆସିଥିବା ଗୌରବ ଗୁପ୍ତା ଆରମ୍ଭରୁ ଜୋମାଟୋକୁ ଆଗକୁ ବଢାଇବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୧୯ ମସିହାରେ ତାଙ୍କୁ ସହ-ସଂସ୍ଥାପକ ଭାବେ ଦାୟିତ୍ବଭାର ମିଳିଥିଲା । ଏହା ସହିତ ତାଙ୍କୁ ଯୋଗାଣ ବିଭାଗର ମୁଖ୍ୟ ପଦବୀ ଭାର ମଧ୍ୟ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.