Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏମିତି ଜଣେ କ୍ରିକେଟର ଯିଏ ହତ୍ୟା ଧମକ ଭୟରେ ଦେଶ ଛାଡିଥିଲେ, କମ ବୟସରେ ସଫଳ ହୋଇ ବି ଲାଗିଥିଲା ବିଦ୍ରୋହୀର ଷ୍ଟାମ୍ପ୍

14/05/2020 at 6:59 PM

ନୂଆଦିଲ୍ଲୀ, ୧୪|୦୫:   ୧୮ ବର୍ଷ ବୟସରେ ଏହି ଖେଳାଳିଜଣଙ୍କ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ମାତ୍ର ୧୯ ବର୍ଷରେ ଉପ ଅଧିନାୟକ ଭାର ଗ୍ରହଣ କରିଥିଲେ । ଏପରିକି ତାଙ୍କୁ ୨୦ ବର୍ଷ ୩୫୮ ଦିନ ହୋଇଥିବା ବେଳେ ଅଧିନାୟକ ଭାର ପ୍ରଦାନ କରାଯାଇଥିଲା । ଏହି ଖେଳାଳିଜଣଙ୍କ କ୍ରିକେଟ ଇତିହାସରେ ସବୁଠାରୁ କନିଷ୍ଠ ଅଧିନାୟକ ଭାବେ ରେକର୍ଡ କରିଛନ୍ତି । ଏହି ରେକର୍ଡ ପ୍ରାୟ ୧୫ ବର୍ଷ ଯାଏଁ ଅତୁଟ ରହିଥିଲା । ଗତ ବର୍ଷ ଆଫଗାନିସ୍ଥାନ ଖେଳାଳି ରସିଦ ଖାନ ୨୦ ବର୍ଷ ୩୫୦ ଦିନ ବୟସରେ ସବୁଠାରୁ କମ ବୟସର ଖେଳାଳି ଭାବେ ଅଧିନାୟକ ହୋଇଥିଲେ ।

ଆମେ ଏଠାରେ ଜିମ୍ବାଓ୍ୱେ ଖେଳାଳି ତତେନ୍ଦ ତାଏବୁଙ୍କ କଥା କହୁଛୁ । ଆଜି ତାଙ୍କର ଜନ୍ମଦିନ । ସେ ଏବେ ୩୭ ବର୍ଷରେ ପାଦ ଦେଇଛନ୍ତି । ତାଏବୁ ମେ ୧୪ ୧୯୮୩ରେ ହରାରେରେ ଜନ୍ମଗ୍ରହଣ କରିଥିଲେ । ଏପ୍ରିଲ ୨୦୦୪ରେ ଜିମ୍ବାଓ୍ୱେ କ୍ରିକେଟ୍ ବୋର୍ଡରେ ଦେଖାଦେଇଥିବା ବିବାଦ ପରେ ୨୧ ବର୍ଷୀୟ ତାଏବୁଙ୍କୁ ଜାତୀୟ ଟେଷ୍ଟ ଦଳର ଅଧିନାୟକ ଭାର ପ୍ରଦାନ କରାଯାଇଥିଲା । ତେବେ ଧମକ ମିଳିବାରୁ ସେ ମାତ୍ର ୧୮ ମାସ ପରେ ଅଧିନାୟକ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏପରିକି ତାଙ୍କୁ ଦେଶ ଛାଡି ମଧ୍ୟ ଯିବାକୁ ପଡିଥିଲା । ପୁଣି ଥରେ ସେ ୨୦୦୭ରେ ଜିମ୍ବାଓ୍ୱେ ଜାତୀୟ ଦଳରେ ସାମିଲ ହୋଇଥିଲେ ।  

ଶେଷରେ ସେ ୨୦୧୨ରେ ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ମୋଟ ୨୮ଟି ଟେଷ୍ଟ ମ୍ୟାଚ ଖେଳି ୩୦.୩୧ ଆଭରେଜରେ ୧୫୪୬ ରନ କରିଥିବା ବେଳେ ୬୨ଟି ଓ୍ୱିକେଟ୍ ନେଇଛନ୍ତି । ସେହିପରି ୧୫୦ଟି ଦିନିକିଆରେ ସେ ୨୯.୨୫ ଆଭରେଜରେ ୩୩୯୩ ରନ କରିଥିଲେ । ଏହାସହ ସେ ଦିନିକିଆରେ ୧୪୭ଟି ଓ୍ୱିକେଟ୍ ମଧ୍ୟ ନେଇଛନ୍ତି ।

କଣ ଘଟିଥିଲା ତାଏବୁଙ୍କ ଜୀବନରେ

ତାଏବୁ ଜିମ୍ବାଓ୍ୱେ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଏପରିକି ତାଙ୍କ ପରିବାରକୁ ଅପହରଣ କରିବା ପାଇଁ ଚେଷ୍ଟା କରାଯାଇଥିଲା । ଏପରିକି ଜୀବନରେ ମାରିବାକୁ ମଧ୍ୟ ଧମକ ଦିଆଯାଇଥିଲା । ଫଳରେ ସେ ଦେଶ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।

ପରେ ତାଏବଙ୍କୁ ମୁଗାବେଙ୍କ ଜଣେ ମନ୍ତ୍ରୀ ଡକାଇଥିଲେ । ପରେ ଖେଳାଳିଙ୍କୁ ଉଚିତ ଦରମା ଓ ବ୍ୟବହାର ନମିଳିବାରୁ ସେ ଅଧିନାୟକ ପଦ ଛାଡି ଦେଇଥିଲେ । ତେବେ ଅଧିନାୟକ ଭାବେ ସେ ଦଳରେ ଅନେକ ପରିବର୍ତ୍ତନ କରିଥିଲେ । ପ୍ରାକ୍ଟିସକୁ ଗୁରୁତ୍ୱ ଦେଇଥିଲେ ।

ଏହି ଘଟଣାରେ ତାଏବୁ କହିଛନ୍ତି ଯେ, ସେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କୁ ଏକ ଲଫାଫା ମିଳିଥିଲା । ଏହାକୁ ଖୋଲିବା ପରେ ଜଣେ ମୃତ ବ୍ୟକ୍ତିଙ୍କ ଫଟୋ ମିଳିଥିଲା । ଏହାପରେ ସେ ଆଉ ଏକ ଫଟୋ ପାଇଥିଲେ । ସେହି ଫଟୋ ମଧ୍ୟ ଜଣେ ମୃତକଙ୍କ ଥିଲା । ଏପରି ଭାବେ ତାଙ୍କୁ ହତ୍ୟା ଧମକ ମିଳିଥିଲା ।

   Related Posts