ଜିକା ସମ୍ପର୍କରେ ମେଡିକାଲ ଜର୍ଣ୍ଣାଲରୁ ଜଣାପଡିଲା ନୂଆ ତଥ୍ୟ, ଏହି ଭୂତାଣୁରେ ସଂକ୍ରମିତ ହୁଅନ୍ତିନି ଡେଙ୍ଗୁ ପୀଡିତ

Published By : Prameya-News7 Bureau | May 31, 2019 IST

ଜିକା ଭୂତାଣୁ ସମ୍ପର୍କରେ ଜଣାପଡ଼ିଛି ନୂଆ ତଥ୍ୟ। ଇମର୍ଜିଂ ଇନଫେକ୍ସନ ଡିଜିଜ ନାମକ ଏକ ସ୍ବାସ୍ଥ୍ୟପତ୍ରିକାରେ ଜିକା ଭୂତାଣୁର ଏହି ରହସ୍ୟ ଉନ୍ମୋଚନ କରିଛି । ଜିକା ଏକ ମାରାତ୍ମକ ଭୂତାଣୁ ଯାହା ଗର୍ଭବତୀ ମହିଳାଙ୍କୁ ଅଧିକ ସଂକ୍ରମିତ କରିବାର ଆଶଙ୍କା ଥାଏ। ଜିକା ଆକ୍ରାନ୍ତ ମହିଳାଙ୍କ ଗର୍ଭସ୍ତ ଶିଶୁ ମଧ୍ୟ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥାଏ। ଏଣୁ ଜନ୍ମ ବେଳେ ଶିଶୁର ମସ୍ତିଷ୍କ ଆକ୍ରାନ୍ତ ହେବାର ଅନେକ ସମ୍ଭାବନା ଥାଏ। ଏହି ଭୂତାଣୁ ମସାଙ୍କ ଦ୍ବାରା ବ୍ୟାପେ ତେବେ ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କରେ ମଧ୍ୟ ଭୂତାଣୁ ସଂକ୍ରମିତ ହୋଇଥାଏ ବୋଲି ବିଜ୍ଞାନ ଗବେଷଣାରୁ ଜଣାପଡିଛି।

ଜିକା ଓ ଡେଙ୍ଗୁ ଉଭୟ ଏଡିସ୍ ମସା ଯୋଗୁ ବ୍ୟାପୀଥାଏ। ତେବେ ଯେଉଁମାନେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଥାନ୍ତି କି ଆକ୍ରାନ୍ତ ଥାନ୍ତି ସେମାନଙ୍କଠାରେ ଜିକା ଭୂତାଣୁର ପ୍ରଭାବ ପଡେନି। ଏଥିପାଇଁ ବ୍ରାଜିଲିୟ ବୈଜ୍ଞାନିକ କରିଥିବା ଗବେଷଣାରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଜିକା ସଂକ୍ରମିତଙ୍କ ସହ ରଖି ଚିକିତ୍ସା କରିଥିଲେ।   ହେଲେ ଡେଙ୍ଗୁ ଆକ୍ରାନ୍ତ ଜିକାଦ୍ବାରା ସଂକ୍ରମିତ ହୋଇନଥିବା ପ୍ରଥମ ଥର ଜଣାପଡିଛି । ବୈଜ୍ଞାନିକଙ୍କ ଅନୁସାରେ ଯଦି କୌଣସି ମହିଳା ଜିକା ଭୂତାଣୁ ସଂକ୍ରମଣର ଶିକାର ହୁଅନ୍ତି ତେବେ ତାଙ୍କ ଗର୍ଭସ୍ତ ଶିଶୁ ମଧ୍ୟ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥାନ୍ତି । ଏଥିରେ ଶିଶୁର ମସ୍ତିଷ୍କ ପ୍ରଭାବିତ ହେବା ସହ ମୁଣ୍ଡର ଆକାର ଅସ୍ବାଭାବିକ ହୋଇଥାଏ।

ଯଦିଓ ଏକ ମସା ପ୍ରଜାତି ଦ୍ବାରା ଉଭୟ ଭୂତାଣୁ ସଂକ୍ରମିତ ହୋଇଥାନ୍ତି ତେବେ ଜିକାର ଲକ୍ଷଣ ଭିନ୍ନ।  ସର୍ଦ୍ଦି ସହ ଜ୍ବର, ଆଣ୍ଠୁଗଣ୍ଠି ବିନ୍ଧା ସହ ଭୀଷଣ ମୁଣ୍ଡବିନ୍ଧା ଓ ଶରୀରରେ ଦାନା ଦାନା ଚିହ୍ନ ହୋଇଯାଏ। ତେବେ ଆଗରୁ ଡେଙ୍ଗୁପୀଡିତ ହୋଇଥିଲେ ଡାକ୍ତର ଚିକିତ୍ସାରେ ଯେଉଁ ଆଣ୍ଟି ବଡିଜ ବ୍ୟବହାର କରନ୍ତି ସେଥି ଯୋଗୁ ଜିକା ଭୂତାଣୁ ସଂକ୍ରମଣ ହୋଇପାରେନି ବୋଲି ଏହି ଗବେଷଣାରୁ ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.