ରାଜ୍ୟସଭାରେ ମଙ୍ଗଳବାର ମଧ୍ୟ ହୋଇପାରିଲାନି ଶୂନ୍ୟକାଳ, ପେଗାସସ୍, ଚାଷୀ ଆନ୍ଦୋଳନ ଓ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଘେରିଲେ ବିରୋଧୀ

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭।୭:  ସଂସଦରେ ସରକାର ଏବେ ବିରୋଧୀଙ୍କ ସଣ୍ଢୁଆସୀ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। ପେଗାସସ୍ ଓ ଚାଷୀ ସମସ୍ୟାରେ ଏବେ ଅତ୍ୟାବଶକୀୟ ସମଗ୍ରୀର ମୂଲ୍ୟ ବୃଦ୍ଧି ମଧ୍ୟ ପ୍ରସଙ୍ଗ ପାଲଟିଯାଇଛି। ଲୋକସଭା ଭଳି ବିରୋଧୀ ଉଚ୍ଚ ସଦନ ରାଜ୍ୟସଭାକୁ ଅଚଳ କରି ରଖିଥିବା ବେଳେ ମଙ୍ଗଳବାର ମଧ୍ୟ ଗୃହରେ ଶୂନ୍ୟକାଳ ହୋଇ ପାରିନାହିଁ। ଗୃହରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରେ ବିରୋଧୀ ନିଜ ପ୍ରସଙ୍ଗକୁ ମଜଭୁତ କରିବାରୁ ଗୃହ ଅଚଳ ହୋଇଛି।

ରାଜ୍ୟସଭା ଭଳି ଲୋକସଭାରେ ମଧ୍ୟ ବିରୋଧୀଙ୍କ ଗତିରୋଧ ଜାରି ରହିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ  ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଂସଦର ଅଚଳାବସ୍ଥା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଦାୟି କରିଛନ୍ତି। ମଙ୍ଗଳବାର ଲୋକସଭା ଆରମ୍ଭ ହେବାର ୨୫ ମିନିଟ୍‌ ପରେ ଅର୍ଥାତ୍ ୧୧ଟା ୪୫ ମିନିଟ୍‌ରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଏଥିଲାଗି ବିଶୃଙ୍ଖଳା ନିମନ୍ତେ ବାଚସ୍ପଚି ବିରୋଧୀଙ୍କ ଉପରେ କ୍ଷୁବ୍ଧ ମଧ୍ୟ ହୋଇଥିଲେ।

ରାଜ୍ୟସଭାରେ ବାଚସ୍ପତି ଏମ.ଭେଙ୍କୟା ନାୟଡୁ ଶୂନ୍ୟକାଳ ଆରମ୍ଭ କରିବା ସହ ସୁଶୀଲ ମୋଦିଙ୍କୁ ପ୍ରଥମେ ପ୍ରସଙ୍ଗ ରଖିବାକୁ ଅନୁମତି ଦେଇଥିଲେ। ହେଲେ ବିରୋଧୀ ଦଳ ସାଂସଦ ଗୃହର କେନ୍ଦ୍ର ସ୍ଥଳରେ ପହଞ୍ଚି ହଟ୍ଟଗୋଳ କରିବାରୁ ଶୂନ୍ୟକାଳ ବାଧିତ ହୋଇଥିଲା। ସାଂସଦମାନେ ଅନୁନ୍ୟ ଗୃହର ଶୂନ୍ୟକାଳରେ ସହଯୋଗ କରନ୍ତୁ ବୋଲି ବାଚସ୍ପତି ନିବେଦନ କରିଥିଲେ। ହେଲେ ନିବେଦନକୁ ବେଖାତିର କରିଥିଲେ ସାଂସଦ ଏଣୁ ରାଜ୍ୟସଭାରେ ଶୂନ୍ୟକାଳ ହୋଇପାରିନାହିଁ।

ସେପଟେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ସଂସଦୀୟ ଦଳ ବୈଠକ ଡକାଇ ଏପର୍ଯ୍ୟନ୍ତ ସଦନରେ ହୋଇଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଓ ରାଷ୍ଟ୍ରମନ୍ତ୍ରୀ ବି.ମୂରଲୀ ଧରନ ଉଭୟ ସଦନରେ ଏପର୍ଯ୍ୟନ୍ତ ହୋଇଥିବା କାମଦାମର ବିବରଣୀ ଦେଇଥିଲେ। ତେବେ କଂଗ୍ରେସ ସଂସଦରେ ନା ଆଲୋଚନା କରୁଛି କି କରେଇ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଣୁ ସାଂସଦମାନେ ଆଗକୁ ଯେତେବେଳେ ବି ଜନତାଙ୍କ ମଧ୍ୟକୁ ଯିବେ ସେତବେଳେ ବିରୋଧୀ ଦଳଙ୍କ ମନବୃତ୍ତି ନେଇ ଲୋକଙ୍କୁ ଅବଗତ କରାନ୍ତୁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.