ମୁମ୍ବାଇ ୨୫/୧୨: ମୁମ୍ବାଇର ‘ଧରାବୀ’ ବସ୍ତି ବିଶ୍ବ ପାଇଁ ରୋଲ୍ ମଡେଲ୍ ଭାବେ ଉଭା ହୋଇଛି। ବିଶ୍ବର ବଡ଼ ବସ୍ତି ମଧ୍ୟରେ ଧରାବୀ ଅନ୍ୟତମ ହୋଇଥିବା ବେଳେ ଏଠାରେ କରୋନା ଭାଇରସ୍ ପରାଜୟ ସ୍ବିକାର କରିଥିବା ଦେଖିବାକୁ ମିଳିଛି। କରୋନା ମୁକ୍ତ ହୋଇଛି ଧରାବୀ ବସ୍ତି। ଏପ୍ରିଲି ପରଠୁ ପ୍ରଥମ ଥର ଶୁକ୍ରବାର କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି।
ଏପ୍ରିଲ୍ ୧ରେ ପ୍ରଥମ କରୋନା ସଂକ୍ରମିତ ଧରାବୀରୁ ଚିହ୍ନଟ ହେବା ପରେ ମୁମ୍ବାଇ ପ୍ରଶାସନ ପାଇଁ ଚିନ୍ତା ବହୁଗୁଣିତ ହୋଇଥିଲା। କାରଣ ଧରାବୀ ଭଳି ଜନଗହଳି ପୂର୍ଣ୍ଣ ବସ୍ତିରେ କରୋନାକୁ ରୋକିବା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଉଥିଲା। ଦୀର୍ଘ ୮ ମାସର ସଂଘର୍ଷ ପରେ ଆଜି ପ୍ରଥମ ଥର ଜଣେ ହେଲେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ନେଇ ଜଣେ ବିଏମସି ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି।
ଏବେସୁଦ୍ଧା ଧରାବୀରୁ ମୋଟ ୩୭୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ୧୨ ଆକ୍ଟିଭ୍ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୮ ଜଣ ଆଇସୋଲେସନରେ ଥିବା ବେଳେ ୪ ଜଣ କୋଭିଡ୍ କେୟାର ସେଣ୍ଟରରେ ରହିଛନ୍ତି। ଏହା ସହ ମୋଟ ୩୪୬୪ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ୨.୫ ବର୍ଗ କିଲୋମିଟର ବିଶିଷ୍ଟ ଧରାବୀ ବସ୍ତିରେ ସାଢ଼େ ୬ ଲକ୍ଷ ଲୋକ ବାସ କରୁଛନ୍ତି।
କରୋନା ସଂକ୍ରମଣ ଆରମ୍ଭ ହେବା ବେଳେ ମୁମ୍ବାଇର ଧରାବୀ ହଟସ୍ପଟ ଭାବେ ଜଣାଯାଇଥିଲା। ଏପ୍ରିଲ୍ ୧ରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୁଇ ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଥିଲା। ୧୫ ଦିନରେ ୫୦୦ ଓ ୨୦ ଦିନରେ ୧୦୦୦ ସଂକ୍ରମିତ ଚିହ୍ନଟ ହୋଇଥିଲେ। ମେ ୨୩ ବେଳକୁ ଧରାବୀରୁ ୧୫୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଥିଲେ।