ଏମିତି ବି ରେଷ୍ଟୁରାଣ୍ଟ ଅଛି ଭାରତରେ ଯେଉଁଠି ଖାଇବା ଲାଗି ଆପଣଙ୍କୁ ଦେବାକୁ ପଡେନି ବିଲ୍, ଜାଣନ୍ତୁ କେଉଁଠି
10/07/2019 at 6:55 PM

ବାହାରେ ଖାଇବା କଥା କହିଲେ ଅନେକଙ୍କ ହୋସ ଉଡିଯାଏ। ମହଙ୍ଗା ଦର ସାଙ୍ଗକୁ ଅପରିସ୍କାର ଓ ଅପରିଛନ୍ନ ଭାବେ ପ୍ରସ୍ତୁତ ନିକୃଷ୍ଟ ଗୁଣବତ୍ତାର ଖାଦ୍ୟ ଖାଇବାକୁ ଲୋକେ ପଛେଇ ଥାନ୍ତି। ହେଲେ ଉତ୍ତମ ପରିବେଶରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ସ୍ୱାଦିଷ୍ଟ ବ୍ୟଞ୍ଜନର ଭରପୁର ବର୍ଗମାଳା ଥିବା ରେଷ୍ଟୁରାଣ୍ଟରେ ଯଦି ଆପଣ ଖାଆନ୍ତି ଓ ଖାଦ୍ୟ ବାବଦରେ ଆପଣଙ୍କୁ ‘ଜିରୋ ବିଲ’ ମିଳେ ତ କେମତି ଲାଗିବ ଆପଣଙ୍କୁ? ଆଶ୍ଚର୍ଯ୍ୟ ହେଉଛନ୍ତି ନା, ଆଶ୍ଚର୍ଯ୍ୟ ହେବା ବି ସ୍ୱଭାବିକ। ହେଲେ ଆମରି ଦେଶରେ ଅଛି ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଗ୍ରାହକଙ୍କୁ ତାଙ୍କ ଖାଦ୍ୟ ବାବଦରେ ମିଳୁଛି ‘ଜିରୋ ବିଲ’।

କୌଣସି ଫାଇଭଷ୍ଟାର ହୋଟଲର ରେଷ୍ଟୁରାଣ୍ଟ ଠୁ କମ୍ ନୁହେଁ ଗୁଜାରାଟର ଅହମ୍ମଦାବାଦ ସହରରେ ଥିବା ‘ସେବା କାଫେ’। ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ ଏହି ରେଷ୍ଟୁରାଣ୍ଟଟି ‘ପେ ଇଟ୍–ଟୁ ଫରୱାର୍ଡ ’ ନୀତିରେ ପରିଚାଳିତ । ଯେଉଁଠି ଗ୍ରାହକ ଖାଉଥିବା ଖାଦ୍ୟ ପାଇଁ କେହି ଆଗରୁ ବିଲ ପୈଠ କରିସାରିଥାଏ। ଏଣୁ ଆପଣ ଯାହା ବି ଖାନ୍ତୁ ଏଥିପାଇଁ ଆପଣ ଯାହା ବି ଦେବେ ତାହା ପରବର୍ତ୍ତି ବ୍ୟକ୍ତି ନିମନ୍ତେ।

ଏଠାରେ ଗ୍ରାହକ ହିଁ ସବୁ କିଛି । ସେ ନିଜ ଖାଦ୍ୟ ନିଜେ ହିଁ ବାଢି ଖାଆନ୍ତି। ଯେହେତୁ ପେ ଇଟ୍-ଟୁ ଫରୱାର୍ଡ ନୀତିରେ ରେଷ୍ଟୁରାଣ୍ଟଟି ପରିଚାଳିତ, ଏଣୁ ଏଠାରେ ଗ୍ରାହକ ନିଜ ପାଇଁ କେବଳ ସେତିକି ନିଏ ଯେତିକି ସେ ଖାଇପାରିବେ। ଏଣୁ ଏଠାରେ ଖାଦ୍ୟର ଅପଚୟ ମଧ୍ୟ ବିଲ ଭଳି ସମ୍ପୂର୍ଣ୍ଣ ଜିରୋ। କାହାର ଟ୍ରେରୁ ସାମାନ୍ୟ ଖାଦ୍ୟ ବି ଫିଙ୍ଗା ହୁଏନି। ନିଜେ ଖାଇ ଅନ୍ୟକୁ ଖୁଆଇବାର ଯେଉଁ ଆନନ୍ଦ ତାହା କେବଳ ଏହି ଠାରେ ହିଁ ମିଳିପାରେ। ସ୍ୱେଚ୍ଛା ସେବୀ ସଂସ୍ଥା ମାନବ ସଦନ, ଗ୍ରାମଶ୍ରୀ ଓ ସ୍ୱଚ୍ଛ ସେବା ଏହି ରେଷ୍ଟୁରାଣ୍ଟର ପରିଚାଳନା କରୁଛନ୍ତି। ଯେଉଁଠି ଉତ୍ତମମାନର ସ୍ୱାଦିଷ୍ଟ ବ୍ୟଞ୍ଜନ ନିଜେ ଖାଇ ଅନ୍ୟକୁ ଖୁଆଇବା ନିମନ୍ତେ ଜମୁଛି ଗ୍ରାହକଙ୍କ ବେଶ୍ ଭିଡ।