୩୯ ବର୍ଷରେ ପାଦ ଦେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ଜାଣନ୍ତୁ କେମିତି ଥିଲା ଯୁବିଙ୍କ ପୂରା କ୍ୟାରିୟର

Published By : Prameya-News7 Bureau | December 12, 2020 IST

ନୂଆଦିଲ୍ଲୀ ୧୨/୧୨ : ଭାରତୀୟ କ୍ରିକେଟର ଜଣେ ମହାନ କ୍ରିକେଟର ଯୁବରାଜ ସିଂହ । ଶନିବାର ୩୯ ବର୍ଷରେ ପାଦ ଦେଇଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂହ । ଜନ୍ମଦିନରେ ଯୁବିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଶ୍ବର କୋଣ ଅନୁକୋଣରୁ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ଯୁବରାଜଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି ।  ଅବଶ୍ୟ ସେ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଚାଷୀ ଆନ୍ଦୋଳନ ଜାରି ରହିଥିବାରୁ ସେ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି । ଯୁବରାଜ କହିଛନ୍ତି ଯେ, ଯଥା ସମ୍ଭବ କୃଷକମାନଙ୍କ ଦାବି ପୂରଣ କରାଯାଉ । ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ମାଧ୍ୟରେ ଏହି ସମସ୍ୟାର ସମାଧାନ ହେଉ ବୋଲି ସେ ଚାହୁଁଛନ୍ତି ।

ନଜର ପକାନ୍ତୁ ଯୁବରାଜଙ୍କ କ୍ରିକେଟ୍ କ୍ୟାରିୟର ଉପରେ
ନିଜର ସ୍ବତନ୍ତ୍ର ବ୍ୟାଟିଂ ଶୈଳି ଏବଂ ଚମତ୍କାର ବୋଲିଂ ବଳରେ ଭାରତକୁ ଦୁଇ ଦୁଇ ଥର ବିଶ୍ବ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୦୭ ମସିହାରେ ଟି-ଟ୍ବେଣ୍ଟି ବିଶ୍ବକପ ଏବଂ ୨୦୧୧ ମସିହାରେ ଆଇସିସି ଦିନିକିଆ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ ବଳରେ ଟିମକୁ ବିଜୟୀ କରାଇଥିଲେ । ଯୁବରାଜ ସିଂହ ଶେଷଥର ପାଇଁ ୨୦୧୭ରେ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିଥିଲେ । ଟିମକୁ ଫେରିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ନିଜର ସ୍ଥାନ ପକ୍କା କରିପାରିନଥିଲେ । ୨୦୧୯ ବିଶ୍ବକପ ପାଇଁ ଭାରତୀୟ ଟିମ ଘୋଷଣା ହେବା ପରେ ପରେ ସେ କ୍ରିକେଟରୁ ସନ୍ୟାସ ନେଇଥିଲେ । ଯୁବରାଜ ଭାରତ ପକ୍ଷରୁ ୩୦୮ଟି ଦିନିକିଆ ମ୍ୟାଚ ଖେଳି ୮୭୦୧ ରନ କରିବା ସହିତ ୧୧୧ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ୫୮ଟି ଟି-ଟ୍ବେଣ୍ଟିରୁ ୧୧୭୭ ରନ ଏବଂ ୨୮ ଓ୍ବିକେଟ ଏବଂ ୪୦ ଟି ଟେଷ୍ଟରୁ ୧୯୦୦ ରନ ସହିତ ୯ଟି ଓ୍ବିକେଟ ଯୁବରାଜଙ୍କ ନାଁରେ ରହିଛି ।

ଯୁବିଙ୍କ ଡେବ୍ୟୁ ମ୍ୟାଚ୍

୧୯ ବର୍ଷରୁ କମ ଭାରତୀୟ କ୍ରିକେଟ ଟିମରେ ଚମତ୍କାର ପ୍ରଦର୍ଶନ କରିବା ପରେ ୨୦୦୦ ମସିହାରେ ଭାରତୀୟ ସିନିୟର ଟିମରେ ସ୍ଥାନ ପାଇଥିଲେ ଯୁବରାଜ । ୨୦୦୦ ମସିହା ବିଶ୍ବକପରେ କେନିୟା ବିପକ୍ଷରେ ସେ ଡେବ୍ୟୁ କରିଥିଲେ । ପ୍ରଥମ ମ୍ୟାଚରେ ୪ ଓଭର ବୋଲିଂ କରି ୧୬ ରନ ବ୍ୟୟ କରିଥିଲେ । ତେବେ ସେହି ମ୍ୟାଚରେ ତାଙ୍କୁ ବ୍ୟାଟିଂ ପାଇଁ ପାଳି ପଡିନଥିଲା । ଏହାର ପରବର୍ତ୍ତୀ ମ୍ୟାଚ ଅର୍ଥାତ ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟରଫାଇନାଲରେ ଦମଦାର ବ୍ୟାଟିଂ କରି ୮୦ ରନ ସଂଗ୍ରହ କରିଥିଲେ । ସେହି ମ୍ୟାଚରେ ଭାରତ ୨୦୨ ରନରେ ବିଜୟ ହାସଲ କରିଥିଲା । ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବିରୋଧରେ ୪୧ ରନ କରି ଗୋଟିଏ ଓ୍ବିକେଟ ହାସଲ କରିଥିଲେ ।

୨୦୦୭ ବିଶ୍ବକପର କିଛି ଝଲକ୍

୨୦୦୭ ଟି-ଟ୍ବେଣ୍ଟି ବିଶ୍ବକପରେ ଟିମ ଇଣ୍ଡିଆର ଉପ-ଅଧିନାୟକ ଦାୟିତ୍ବ ସମ୍ଭାଳୁଥିଲେ ଯୁବରାଜ ସିଂହ । ତେବେ ଡର୍ବାନରେ ଖେଳାଯାଇଥିବା ମ୍ୟାଚରେ ସେ ଇଂଲଣ୍ଡର ଦୃତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ଟି ବଲରୁ ୬ଟି ଛକା ମାରି କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଥିଲେ । ମାତ୍ର ୧୨ ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ଯାହାକି କ୍ରିକେଟ ଇତିହାସରେ ଏକ ରେକର୍ଡ ହୋଇ ରହିଯାଇଛି । ସେହିଭଳି ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୩୦ ଟି ବଲରୁ ୭୦ ରନ ସଂଗ୍ରହ କରିଥିଲେ ଯେଉଁଥିରେ ଟୁର୍ଣ୍ଣାମେଣ୍ଟର ଲମ୍ବା ଛକା (୧୧୯ ମିଟର) ସାମିଲ ଥିଲା ।

୨୦୧୧ ଦିନିକିଆ ବିଶ୍ବକପରେ ମ୍ୟାନ୍ ଅଫ ଦି ସିରିଜ୍

୨୦୧୧ ଦିନିକିଆ ବିଶ୍ବକପରେ ଯୁବରାଜ ସିଂହ ଚମତ୍କାର ଫର୍ମରେ ଥି​‌ଲେ । ସେ ମୋଟ ୩୬୨ ରନ କରି ୧୫ଟି ଓ୍ବିକେଟ ନେବା ସହିତ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।ପ୍ରଥମ ଖେଳାଳି ଭାବେ ବିଶ୍ବକପର ଗୋଟିଏ ମ୍ୟାଚରେ ୫୦ ରନ କରିବା ସହିତ ୫ଟି ଓ୍ବିକେଟ ମଧ୍ୟ ନେଇଥିଲେ ।  

ଯୁବରାଜ ସିଂହଙ୍କ ପତନ

ଭାରତ ୨୦୧୧ରେ ବିଶ୍ବକପ ବିଜୟୀ ହେବାପରେ ଯୁବରାଜ ସିଂହ କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । ସେ ଋଷରେ ରହି ଚିକିତ୍ସିତ ହେବା ପ​‌ରେ ୨୦୧୨ ମାର୍ଚ୍ଚରେ ଭାରତ ଫେରିଥିଲେ । ଏହା ପରେ ଯୁବରାଜଙ୍କ ପତନ ଆରମ୍ଭ ହୋଇଥିଲା । ଅନେକ ସିରିଜରେ ତାଙ୍କୁ ସୁଯୋଗ ମିଳିଥିଲେ ସୁଦ୍ଧା ସେ ବିଫଳ ହୋଇଥିଲେ । ପୁଣି ୨୦୧୬ ମସିହାରେ ଅଷ୍ଟ୍ରେଲିଆ ଗସ୍ତରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଶେଷରେ ୧୦ ଜୁନ ୨୦୧୯ରେ ଯୁବରାଜ ସିଂହ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.