‘ଭବିଷ୍ୟତର ଭାରତୀୟ ଟିମ୍‌ର ଅଧିନାୟକ ଋଷଭ ପନ୍ତ’, ଏମିତି କାହିଁକି କହିଲେ ଯୁବରାଜ

Published By : Prameya-News7 Bureau | July 08, 2021 IST

ନୂଆଦିଲ୍ଲୀ ୮/୦୭: ଭାରତୀୟ ଟିମ୍‌ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ କ୍ରିକେଟ​‌ରେ ୩ ଫର୍ମାଟରେ ଭଲ ପ୍ରଦର୍ଶନ କରୁଛନ୍ତି । ଏହା ବ୍ୟତୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ ତମ ସିଜନ୍‌ରେ ପ୍ରଥମ ଫେଜ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ପନ୍ତଙ୍କ ପାରଦର୍ଶିତା ଦେଖିବାକୁ ମିଳିଥିଲା। ଆଇପିଏଲ୍‌ର ପ୍ରଥମ ଫେଜରେ ଶ୍ରେୟସ ଆୟର ଆହତ ହୋଇଥିବାରୁ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବ ମିଳିଥିଲା। ପନ୍ତଙ୍କ ଅଧିନାୟିକତ୍ବରେ ଦିଲ୍ଲୀ ୮ଟି ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ରହିଛି।

ଏହାକୁ ଦେଖି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ଲାଗୁଛି ଆଗାମୀ ଦିନରେ ଋଷଭ ପନ୍ତ ଭାରତୀୟ ଟିମ୍‌ର ଅଧିନାୟକ ହୋଇପାରନ୍ତି। ୨୦୨୦ ପନ୍ତଙ୍କ ପାଇଁ ଶୁଭଙ୍କର ନଥିଲା।  ଏହା ପରେ ଅଷ୍ଟେ୍ରଲିଆ ଗସ୍ତରେ ସେ ଜବଦଦସ୍ତ ଫର୍ମକୁ ଫେରିବା ସହ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ। ସବୁ ଦିଗକୁ ସମୀକ୍ଷା କରି ଯୁବରାଜ କହିଛନ୍ତ, ସମୟ ସହିତ ପନ୍ତ ଆହୁରି ମ୍ୟାଚ୍ୟୁର ହୋଇଯିବେ। ଏହା ସହ ଆଗାମୀ ଦିନରେ ସେ ଟିମ୍‌ ଇଣ୍ଡିଆର ଅଧିନାୟକ ହେବାକୁ ସକ୍ଷମ ହୋଇଯିବେ। କେବଳ ସେତିକି ନୁହେଁ ପନ୍ତଙ୍କୁ ଅଷ୍ଟେ୍ରଲିଆର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍‌ ଆଦାମ ଗିଲଖ୍ରୀଷ୍ଟଙ୍କ ସହ ତୁଳନା କରିଛନ୍ତି ଯୁବି।

ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ଯୁବରାଜ କହିଛନ୍ତି, ‘ଋଷଭ ପନ୍ତ ଆଦାମ ଗିଲଖ୍ରୀଷ୍ଟଙ୍କ ଭଳି, ଯିଏକି କୌଣସି ସମୟରେ ମ୍ୟାଚ୍‌କୁ ବଦଳାଇ ଦେଇପାରିବେ। ଗିଲଖ୍ରୀଷ୍ଟ ଟେଷ୍ଟ କ୍ରିକେଟରେ ଅନେକ ପରିବର୍ତ୍ତନ ଆଣିଥିଲେ । ମୋତେ ଲାଗୁଛି ପନ୍ତ ଏମିତି କିଛି କରିପାରିବେ।’

ଯୁବି ଆହୁରି କହିଛନ୍ତି, ‘ମୁଁ ଋଷଭ ପନ୍ତଙ୍କୁ ଭବିଷ୍ୟତରେ ଭାରତୀୟ ଟିମ୍‌ର କ୍ୟାପ୍ଟେନ ରୂପେ ଦେଖୁଛି। ସେ ଡିଆଁ କୁଦ କରୁଛନ୍ତି, ମୋତେ ଲାଗୁଛି ତାଙ୍କ ମସ୍ତିଷ୍କ ମଧ୍ୟ ବହୁତ କ୍ରିୟାଶୀଳ। ମୁଁ ଦେଖିଛି ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ କିପରି ପ୍ରଦର୍ଶନ କରିଛନ୍ତି। ସେ ବହୁତ ଭଲ କାମ କରିଛନ୍ତି। ତେଣୁ ତାଙ୍କୁ ଭବିଷ୍ୟତର ଭାରତୀୟ କ୍ୟାପ୍ଟେନ ରୂପେ ଲୋକେ ଦେଖିବା ଦରକାର।’  ପନ୍ତ ଏବେ ଇଂଲଣ୍ଡରେ ଅଛନ୍ତି। ସେଠାରେ ଭାରତ ୪ ଅଗଷ୍ଟରୁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.