ନିଜ ପ୍ରଶଂସକଙ୍କୁ ଯୁବରାଜଙ୍କ ଅପିଲ୍: ଷ୍ଟୁଆର୍ଟ ବ୍ରଡଙ୍କ ପ୍ରଶଂସା କରନ୍ତୁ, ୫୦୦ ଓ୍ଵିକେଟ୍ ନେବା ସହଜ କଥା ନୁହେଁ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯।୦୭: ଭାରତର ପୂର୍ବତନ ବରିଷ୍ଠ ଅଲରାଉଣ୍ଡର ଯୁବରାଜ ସିଂହ ବୁଧବାର ଷ୍ଟୁଆର୍ଟ ବ୍ରଡଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଯୁବି ଓ ବ୍ରଡଙ୍କ କଥା ଯେବେ ଏକା ସଙ୍ଗେ ଉଠେ ତେବେ କ୍ରିକେଟ୍‌ ପ୍ରଶଂସକଙ୍କୁ ୨୦୦୭ ଟି ୨୦ ବିଶ୍ଵକପ୍‌ରେ ଭାରତ ଓ ଇଂଲଣ୍ଡ ମ୍ୟାଚ୍ ମନେ ପଡିଯାଏ। ଏହି ମ୍ୟାଚ୍‌ରେ ଯୁବି ବ୍ରଡଙ୍କ ଓଭରରେ ଛଅ ଛକା ମାରିଥିଲେ। ଏହା ମଧ୍ୟ କୁହାଯାଏ ଯେ ସେହି ସମୟରେ ଯୁବି ବ୍ରଡଙ୍କ କ୍ୟାରିୟର ପ୍ରାୟତଃ ସମାପ୍ତ କରି ଦେଇଥିଲେ। ବ୍ରଡ ମଙ୍ଗଳବାର ଟେଷ୍ଟ କ୍ରିକେଟ୍‌ରେ ୫୦୦ ଓ୍ଵିକେଟ୍ ନେବାରେ ଚତୁର୍ଥ ଦ୍ରୁତ ବୋଲର ହୋଇଥିବା ବେଳେ ଦୁନିଆର ସପ୍ତମ ବୋଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୩୪ ବର୍ଷୀୟ ବ୍ରଡ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମାଞ୍ଚେଷ୍ଟରରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ପଞ୍ଚମ ଦିନରେ କ୍ରେଗ ବ୍ରେଥଓ୍ଵେଟଙ୍କୁ ଆଉଟ୍ କରି ଏହି ଉପଲବ୍ଧି ହାସଲ କରିଛନ୍ତି।

ଯୁବରାଜ ଟ୍ଵିଟ୍ କରି ନିଜର ପ୍ରଶଂସକଙ୍କୁ କହିଛନ୍ତି, ସେମାନେ ଇଂଲଣ୍ଡର ଏହି ଦ୍ରୁତ ବୋଲରଙ୍କ କଠିନ ପରିଶ୍ରମ ଓ ଉପଲବ୍ଧିର ପ୍ରଶଂସା କରନ୍ତୁ। ଯୁବରାଜ ଟ୍ଵିଟ୍ କରିଛନ୍ତି ମୋତେ ବିଶ୍ଵାସ ଯେ ମୁଁ ଯେବେ ବି ଷ୍ଟୁଆର୍ଟ ବ୍ରଡଙ୍କ ବିଷୟରେ ଲେଖିବି, ଲୋକେ ଏହାକୁ ଛକ ଛକା ସହିତ ଯୋଡିବେ। ଆଜି ମୁଁ ନିଜର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ସେମାନେ ବ୍ରଡଙ୍କ ପ୍ରଶଂସା କରନ୍ତୁ। ଟେଷ୍ଟରେ ୫୦୦ ଓ୍ଵିକେଟ୍ ନେବା ମଜାକ ନୁହେଁ। ଏଥିପାଇଁ କଠୋର ପରିଶ୍ରମ ଓ ପ୍ରତିବଦ୍ଧତାର ଆବଶ୍ୟକ ପଡିଥାଏ। ବ୍ରଡ ଆପଣ ଲିଜେଣ୍ଡ ସଲାମ।

{"id":307279,"width":586,"height":336,"sizeSlug":"large"}

ବ୍ରଡ ନେଲେଣି ୭୪୪ ଇଣ୍ଟରନ୍ୟାସନାଲ ଓ୍ଵିକେଟ୍‌

ବ୍ରଡ ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଦ୍ଵିତୀୟ ବର୍ଷରେ ପଦାର୍ପଣ କରିଥିଲେ, ଯେବେ ଯୁବରାଜ ୨୦୦୭ରେ ଡର୍ବାନରେ ଟି-୨୦ ବିଶ୍ଵକପ ସମୟରେ ତାଙ୍କର ଗୋଟିଏ ଓଭରରେ ୬ ଛକା ମାରିଥିଲେ। ଭାରତୀୟ ଇନିଂସର ୧୯ତମ ଓଭରରେ ଯୁବରାଜ ବ୍ରଡଙ୍କ ଉପରେ ଛଅ ଛକା ମାରି ମାତ୍ର ୧୨ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ,ଯାହା ଟି-୨୦ କ୍ରିକେଟ୍‌ରେ ଦ୍ରୁତତମ ଅର୍ଦ୍ଧଶତକ। ତେବେଠୁ ବ୍ରଡ ଇଂଲଣ୍ଡ ପକ୍ଷରୁ ୧୪୦ଟି ଟେଷ୍ଟ, ୧୨୧ ଦିନିକିଆ ଓ ୫୬ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳି ମୋଟ୍ ୭୪୪ ଅନ୍ତରାଷ୍ଟ୍ରୀୟ ଓ୍ଵିକେଟ୍ ନେଲେଣି।

ଟେଷ୍ଟରେ ସବୁଠୁ ସଫଳ ବାେଲର ତାଲିକାରେ ବ୍ରଡ

ଷ୍ଟୁଆର୍ଟ ବ୍ରଡଙ୍କ ପୂର୍ବରୁ ମୁଥେୟା ମୁରଲୀଧରଣ(୮୦୦ ଓ୍ଵିକେଟ୍), ସେନ ଓ୍ଵାର୍ଣ୍ଣ(୭୦୮), ଅନିଲ କୁମ୍ବଲେ(୬୧୯), ଜେମ୍ସ ଆଣ୍ଡରସନ(୫୮୯), ଗ୍ଲେନ ମ୍ୟାକଗ୍ରା(୫୬୩) ଓ କର୍ଟନୀ ଓ୍ଵାଲ୍ସ(୫୧୯) ସଫଳତା  ହାସଲ କରିଛନ୍ତି। ଉଲ୍ଲେଖନୀୟ ଓ୍ଵେଷ୍ଟଇଣ୍ଡିଜକର ବରିଷ୍ଠ ବୋଲର କର୍ଟନି ଓ୍ଵାଲ୍ସ ଟେଷ୍ଟ କ୍ରିକେଟ୍‌ରେ ୫୦୦ ଓ୍ଵିକେଟ୍ ନେବାରେ ପ୍ରଥମ ବୋଲର ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.