ଯୁବରାଜଙ୍କୁ ପୁଣି ପଡ଼ିଆକୁ ଫେରିବା ହୋଇପାରେ ମୁସ୍‌କିଲ୍‌, ଏମିତି ରହିଛି ବିସିସିଆଇର ନିୟମ

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଳୀ ୧୧/୦୯: କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଯୁବରାଜ ସିଂହ ପୁଣିଥରେ ଘରୋଇ ଟିମ୍‌ରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବିସିସିଆଇର ଅନୁମତି ପାଇଁ ଚିଠି ମଧ୍ୟ ଲେଖିଛନ୍ତି ଯୁବରାଜ। ପଞ୍ଜାବ ଟିମ୍‌ର ଖେଳାଳୀ ଓ ମେଣ୍ଟର ଭା​ବେ ରହିବାକୁ ଚାହୁଁଛନ୍ତି ଯୁବରାଜ ସିଂହ । ଟ୍ରେନିଂ ସମୟରେ ପଞ୍ଜାବର କିଛି ଯୁବ ଖେଳାଳିଙ୍କ ସଂସ୍ପର୍ଶରେ ଆସିଥିଲେ ଯୁବରାଜ। ସେମାନଙ୍କ ସହ ଶୁଭମନ ଗିଲ ଓ ଅମୋଲପ୍ରୀତ ସିଂହ ମଧ୍ୟ ସାମିଲ ଥିଲେ । ଏହି ଟ୍ରେନିଂ ସମୟରେ ଯୁବରାଜଙ୍କ ଖେଳ ସମସ୍ତଙ୍କୁ ପସନ୍ଦ ଆସିବା ସହ ପୁଣି ଥରେ ପଡ଼ିଆକୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ । ଏହାପରେ ଅବସର ପ୍ରତ୍ୟାହାର କରିବାକୁ ସେ ବିସିସିଆଇକୁ ଚିଠି ଲେଖିଛନ୍ତି ।

କିନ୍ତୁ ଏବେ ଜଣାପଡ଼ୁଛି ଯୁବରାଜଙ୍କୁ ଅନୁମତି ମିଳିନପାରେ । କାରଣ ଘରୋଇ ଟିମ୍ ପାଇଁ ଖେଳିବାକୁ ହେଲେ କିଛି ନିୟମ ମାନିବାକୁ ପଡ଼େ । କିନ୍ତୁ ଯୁବରାଜଙ୍କ ନାଁ ଅବସରପ୍ରାପ୍ତ ଖେଳାଳିଙ୍କ ଲିଷ୍ଟରେ ସାମିଲ ହେବା ସହ ସେ ୨୨୫୦୦ ଭତ୍ତା ମଧ୍ୟ ପାଉଛନ୍ତି ।

ଅନ୍ୟପଟେ ଯୁବରାଜ ଅବସର ଘୋଷଣା କରିବା ପରେ ଟରେଣ୍ଟୋ ନ୍ୟାସନାଲ୍‌ ଗ୍ଲୋବାଲ ଟି-୨୦ କାନାଡା ଓ ଆରାବିଆନ୍ସର ଟି-୧୦ ଲିଗ୍‌ ଖେଳିଛନ୍ତି । ତେଣୁ ବିସିସିଆଇ ପକ୍ଷରୁ ତାଙ୍କୁ ଏନଓସି ମିଳିନପାରେ । ଯଦିଓ ସୌରଭ ଗାଙ୍ଗୁଲୀ ତାଙ୍କର ଫେରିବାକୁ ପସନ୍ଦ କରୁଥିବେ କିନ୍ତୁ ନିୟମ ଅନୁସାରେ ଏହା ହେବା ସମ୍ଭବ ହୋଇନପାରେ ।

ଚଳିତବର୍ଷ ପ୍ରବୀଣ ତାମ୍ବେଙ୍କ ଆଇପିଏଲ୍‌ ଖେଳିବା ଉପରେ ରୋକ୍‌ ଲଗାଇଥିଲା ବିସିସିଆଇ । କାରଣ ସେ ୨୦୧୮ରେ ଟି-୧୦ ଲିଗ୍‌ ଖେଳିଥିଲେ ।  ଆଇପିଏଏଲ ୨୦୨୦ ପାଇଁ ପ୍ରବୀଣଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ବିସିସିଆଇ ନିୟମ ଅନୁସାରେ ଅନ୍ୟ ଦଶେର ଟି-୨୦ ଖେଳିବାର ଅନୁମତି ଖେଳାଳିଙ୍କୁ ମିଳିବ ଯଦି ସେମାନେ ଆଇପିଏଲ୍‌ ସମେତ ସବୁ ପ୍ରକାର ଘରୋଇ କ୍ରିକେଟ୍‌ରୁ ଅବସର ଗ୍ରହଣ କରିଥିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.