‘ଏତେ ଜଲଦି ମଇଦାନ ଛାଡ଼ିବି ନାହିଁ’: ଫ୍ୟୁଚର ପ୍ଲାନକୁ ନେଇ ଏପରି କହିଲେ କ୍ରିକେଟର ୟୁସୁଫ୍ ପଠାନ୍
8/03/2021 at 6:22 PM

ନୂଆଦିଲ୍ଲୀ ୦୮/୦୩: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ପୂର୍ବତନ ଅଲରାଉଣ୍ଡର ୟୁସୁଫ ପଠାନ ଏବେ ରାଇପୁରରେ ରୋଡ୍ ସେଫ୍ଟି ଓ୍ବାର୍ଲଡ୍ ସିରିଜ୍ ଖେଳୁଛନ୍ତି । ସିନିୟର ପଠାନ ନିଜ କ୍ୟାରିୟରକୁ ନେଇ ବଡ଼ ବୟାନ ଦେଇଛନ୍ତି। ୟୁସୁଫଙ୍କ ଫ୍ୟୁଚର ପ୍ଲାନ କଣ ସେନେଇ ମଧ୍ୟ ସେ ଖୁଲାସା କରିଛନ୍ତି। ୟୁସୁଫ ପଠାନ ଇଣ୍ଡିଆ ଲିଜେଣ୍ଡ ପକ୍ଷରୁ ନିଜର ପୁରୂଣା ସାଥି ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂହଙ୍କ ସହ ଖେଳୁଛନ୍ତି।
ଅନେକ ଦିନ ପରେ ପୂରୁଣା ସାଥିମାନଙ୍କ ସହ ଖେଳିବାକୁ ମଉକା ପାଇଥିବାରୁ ଖୁସି ଥିବା କହିଛନ୍ତି ୟୁସୁଫ୍। ନ୍ୟୁଜ୍ ଏଜେନ୍ସି ଆଇଏଏନଏସ ସହ ଆଲୋଚନା ବେଳେ ସେ କହିଛନ୍ତି, ‘ମୁଁ ମୋ କ୍ୟାରିୟର ପାଇଁ ବହୁତ ଖୁସି ଅଛି। ମୁଁ ବହୁତ କିଛି ହାସଲ କରିଛି ଏବଂ ଆଗକୁ ଜାରି ରଖିବି। ଯେଉଁମାନଙ୍କ ସହ ବିଶ୍ବକପ୍ ଜିତିଥିଲି ଏବେ ସେମାନଙ୍କ ସହ ପୁଣି ଥରେ ରୋଡ ସେଫ୍ଟି ଓ୍ବାର୍ଲଡ୍ ସିରିଜ୍ରେ ଖେଳୁଛି। ମୁଁ ବହୁତ ଖୁସି ଅଛି କି ଇର୍ଫାନ ପଠାନ ଏବଂ ଅନ୍ୟ ସାଥି ଖେଳାଳିଙ୍କ ସହ ଖେଳିବାକୁ ମଉକା ମିଳିଲା।’
ଏହା ସହ ସେ ଆହୁରି କହିଛନ୍ତି, ‘ମୁଁ ମଇଦାନରେ ରହିବାକୁ ଚାହିଁବି, ଏତେ ଶୀଘ୍ର ମଇଦାନ ଛାଡ଼ୁନି ଏବଂ ଲୋକେ ମୋତେ ପୁଣି ଥରେ ଦେଖିବେ। ମୋର କିଛି ଲକ୍ଷ୍ୟ ରହିଛି ଯାହା ପୂରଣ କରିବାକୁ ହେବ।’ ଅବସର ଗ୍ରହଣ କରିବା ପରେ ଆଗକୁ କଣ ଯୋଜନା ରହିଛି ପ୍ରଶ୍ନରେ ପୂର୍ବତନ ଅଲରାଉଣ୍ଡର କହିଛନ୍ତି, ଅନ୍ୟ ଲିଗ୍ରେ ଖେଳିବେ କିନ୍ତୁ ଏହା ତାଙ୍କ ଉପଲବ୍ଧି ଉପରେ ନିର୍ଭର କରେ।
ଆଇପିଏଲରେ ୟୁସୁଫଙ୍କ କମାଲ ଦର୍ଶକ ଦେଖୁଛନ୍ତି। ଦୀର୍ଘ ସମୟ ଧରି ୟୁସୁଫ କୋଲକାତା ନାଇଟ ରାଇଡର୍ସ (କେକେଆର) ପକ୍ଷରୁ ଖେଳୁଛନ୍ତି। କେକେଆର ଦୁଇ ଥର ଫାଇନାଲ ମଧ୍ୟ ଜିଣିଛି। ଟିମ ପାଇଁ ପୂର୍ବତନ ଅଧିନାୟକ ଯେଉଁ ଲକ୍ଷ ଧାର୍ଯ୍ୟ କରିଥିଲେ ତାହାକୁ ଆଗକୁ ନେଇ ଚାଲିବାର ଅଛି ବୋଲି ସିନିୟର ପଠାନ କହିଛନ୍ତି।