ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଜଗନମୋହନ ରେଡ୍ଡୀ, ରାଜ୍ୟରେ ବଢିଲା ବାର୍ଦ୍ଧକ୍ୟ ଭତ୍ତା, ଜାଣନ୍ତୁ ଏଣିକି ମାସିକ ବୟସ୍କଙ୍କୁ ମିଳିବ କେତେ

Published By : Prameya-News7 Bureau | May 30, 2019 IST

ହାଇଦ୍ରାବାଦ ୩୦।୫: ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀ ଗୁରୁବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ନରସିମହା ରାଓ ତାଙ୍କୁ ପଦ ଓ ଗୋପନୀୟତାର  ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣପରେ ଜଗନମୋହନ ରାଜ୍ୟର ବୟସ୍କ ଲୋକଙ୍କ ପାଇଁ ବାର୍ଦ୍ଧକ୍ୟଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି। ଉତ୍ସବ ସ୍ଥଳରେ ଜଗନ ବାର୍ଦ୍ଧକ୍ୟଭତ୍ତା ଫାଇଲରେ ପ୍ରଥମେ ସ୍ବାକ୍ଷର କରିବା ସହ ତାଙ୍କ ଦଳ ଲୋକଙ୍କୁ ନିର୍ବାଚନରେ ଦେଇଥିବା ପ୍ରଥମ ପ୍ରତିଶ୍ରୁତି ପାଳନ କରିଛି ବୋଲି କହିଛନ୍ତି ।

{"id":117829}

ନୂଆମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଯୋଗୁ ରାଜ୍ୟର ବୟସ୍କ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ରାଶି ବୃଦ୍ଧି  ହୋଇଛି । ଫଳରେ ବାର୍ଦ୍ଧକ୍ୟଭତ୍ତା ଯୋଜନାରେ ସାମିଲ ପ୍ରତ୍ୟେକ ବୟସ୍କଙ୍କୁ ଏଣିକି ମାସିକ ୩ ହଜାର ଟଙ୍କା ଭତ୍ତା ମିଳିବ। ଏପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୨ହଜାର ୫ଶହ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିଲା।

{"id":117830}

ଗତ  ସାଧାରଣ ନିର୍ବାଚନରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ୱାଇଏସଆର କଂଗ୍ରେସର ଇସ୍ତାହାରରେ ପ୍ରଥମ ସ୍ଥାନ ପାଇଥିଲା। ଦଳକୁ ଯଦି ସରକାର ଗଢିବାର ସୁଯୋଗ ମିଳେ ତେବେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ସରକାରଙ୍କର ପ୍ରଥମ କାର୍ଯ୍ୟ ହେବ ବୋଲି ଦଳ ଘୋଷଣା କିରଥିଲା। ସେହି ଅନୁସାରେ ଜଗନମୋହନ ନିର୍ବାଚନ ଇସ୍ତାହାରର ପ୍ରଥମ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି।  ସାଧାରଣ ନିର୍ବାଚନରେ ୱାଇଏସ୍ଆର କଂଗ୍ରେସକୁ ବିପୁଳ ବିଜୟ ମିଳିଛି । ୧୭୫ ସଦସୀୟ ବିଧାନସଭାରେ ଜଗନଙ୍କ ଦଳକୁ ୧୫୧ଟି ଆସନ ମିଳିଥିବା ବେଳେ ୨୫ସଦସୀୟ ଲୋକସଭାରୁ ୨୨ଟି ପାଇଛି ।

{"id":117831}

ଜଗନମୋହନ ଆଜି ଏକାକୀ ଶପଥପାଠ କରିଥିବା ବେଳେ ଜୁନ ୭ ତାରିଖରେ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେବେ। ଜଗନମୋହନଙ୍କ ଶପଥପାଠ ପାଇଁ ପୂର୍ବରୁ ଆଇଜିଏମସି ଷ୍ଟାଡିୟମ ସ୍ଥିରିକୃତ ହୋଇଥିଲା। ତେବେ ଖରାପ ପାଗ ଯୋଗୁ କାର୍ଯ୍ୟକ୍ରମସ୍ଥଳ ପରିବର୍ତ୍ତନ କରାଯାଇଥିବା ବେଳେ ବିଜୟଓ୍ବାଡା ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଜଗନ ଶପଥଗ୍ରହଣ କରିଛନ୍ତି । ଜଗନମୋହନଙ୍କ ଶପଥଗ୍ରହଣ  ଉତ୍ସବକୁ ଟିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନୟାଡୁଙ୍କ ସମେତ ପଡୋସୀ ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ  ଏବଂ ଦ୍ରାବିଡ ମୁନିତ୍ର ଖଜକମର ମୁଖ୍ୟ ଷ୍ଟାଲିନ ଆମନ୍ତ୍ରିତ ହୋଇଥିଲେ।   ତେବେ ଷ୍ଟାଲିନ ଓ ଚନ୍ଦ୍ରଶେଖର ରାଓ ଉତ୍ସବରେ ଯୋଗଦେଇଥିବା ବେଳେ ଚନ୍ଦ୍ରବାବୁ କିନ୍ତୁ ଆସିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.