୧୫ ବର୍ଷ ଚାକିରୀ ପରେ ହେଲେ ଟ୍ରାଭେଲ ବ୍ଲଗର : ୧୦ ଲକ୍ଷ ସବସ୍କ୍ରାଇବର ସହ ସଫଳ ୟୁଟ୍ୟୁବର୍

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ, ୧୬|୦୩:   ଭାରତୀୟ ଟ୍ରାଭେଲ ବ୍ଲଗର ବରୁଣ ବାଗୀଶଙ୍କ ଚାନେଲକୁ ୧୦ ଲକ୍ଷ ଲୋକ ସବ୍ସକ୍ରାଇବ କରିସାରିଛନ୍ତି | ସେ ପ୍ରଥମ ଭାରତୀୟ ଟ୍ରାଭେଲ ୟୁଟ୍ୟୁବର ଯାହାର ୧୦ ଲକ୍ଷ ସବ୍ସକ୍ରାଇବର ଅଛନ୍ତି | ୟୁଟ୍ୟୁବରେ ତାଙ୍କର ଲୋକପ୍ରିୟ ଚାନେଲ 'ମାଉଣ୍ଟେନ ଟ୍ରେକର' ଫେବୃଆରୀ ମାସରେ ୧୦ ଲକ୍ଷ ସବସ୍କ୍ରାଇବର ସୀମା ପରିକରିଛନ୍ତି |

ମାର୍ଚ୍ଚ ୧୩ ତାରିଖରେ ୟୁଟ୍ୟୁବ ତାଙ୍କୁ ଗୋଲ୍ଡେନ ପ୍ଲେ ବଟନ ପଠାଇ ଅଭିନନ୍ଦନ ଜଣାଇଛି | ଏପର୍ଯ୍ୟନ୍ତ ଭାରତରେ ୧୦ ଲକ୍ଷ ସବସ୍କ୍ରାଇବର ଥିବା ଚାନେଲଗୁଡିକ ହେଲା ନ୍ୟୁଜ ଚାନେଲ, କମେଡି ଚାନେଲ, ଫ୍ୟାସନ ଚାନେଲ, ଲାଇଫଷ୍ଟାଇଲ ସମ୍ବନ୍ଧିତ ଚାନେଲ | କିନ୍ତୁ ମାଉଣ୍ଟେନ ଟ୍ରେକର ପ୍ରଥମ ପର୍ଯ୍ୟଟନ ସମ୍ବନ୍ଧୀୟ ହିନ୍ଦୀ ଚାନେଲ | ୨୦୧୭ ମସିହାରେ ବରୁଣ ଏହି ଚାନେଲ ଆରମ୍ଭ କରିଥିଲେ | ୩ ବର୍ଷ ମଧ୍ୟରେ ଏହି ଚାନେଲର ସବ୍ସକ୍ରାଇବର ସଂଖ୍ୟା ୧୦ ଲକ୍ଷ ଟପି ଯାଇଛି |

ଦର୍ଶକଙ୍କ ଫିଡବ୍ୟାକ ମୁତାବିକ, ଏହି ଚାନେଲର ଭିଡିଓ ସିରିଜ ପରିବାର ସଦସ୍ୟଙ୍କ ସହ ବସି ଦେଖି ହୋଇଥାଏ | କମ ବଜେଟରେ କିଭଳି ବିଭିନ୍ନ ଦେଶବିଦେଶ ଭ୍ରମଣ କରାଯାଇପାରିବ ତାହା ଏହି ଚାନେଲରେ ଦର୍ଶାଯାଇଥାଏ | ତେବେ ଚାନେଲ ଆରମ୍ଭ କରିବା ପଛରେ ବରୁଣଙ୍କ ସବୁଠାରୁ ବଡ ଲକ୍ଷ୍ୟ ହେଲା କମ ଟଙ୍କାରେ ଲୋକେ କିପରି ନିଜ ଦେଶର ବିଭିନ୍ନ ସ୍ଥାନ ବୁଲି ପାରିବେ |    

ଚାନେଲର ସବୁଠାରୁ ଲୋକପ୍ରିୟ ସିରିଜ ହେଲା ଥାଇଲାଣ୍ଡ ଓ ମାଲେସିଆ ସିରିଜ | ବରୁଣ ମାତ୍ର ୬ ହଜାର ଟଙ୍କାରେ ଥାଇଲାଣ୍ଡ ଏବଂ ୩ ହଜାର ଟଙ୍କାରେ ମାଲେସିଆ ବୁଲି ଆସିଥିଲେ | ଆଉ ଏକ ଭିଡିଓରେ ବରୁଣ ଦେଖାଇଛନ୍ତି ଯେ, କିଭଳି ସେ ୧୦ ହଜାର ଟଙ୍କାରେ ୧୫ ଦିନ ପର୍ଯ୍ୟନ୍ତ ୟୁରୋପର ୩ଟି ଦେଶ ବୁଲି ଆସିଥିଲେ | ବରୁଣ ଏପର୍ଯ୍ୟନ୍ତ ରସିଆ, ଆମେରିକା, କାନାଡ଼ା, ଥାଇଲ୍ୟାଣ୍ଡ, ମାଲେସିଆ, ଇଣ୍ଡୋନେସିଆ, ଇଜିପ୍ଟ, ମରିସସ, ତୁର୍କୀ, ଜର୍ଜିଆ, ଇଟାଲୀ, ଚେକ ରିପବ୍ଲିକ, ଅଷ୍ଟ୍ରିଆ, ଦକ୍ଷିଣ କୋରିଆ, ସମେତ ଅନେକ ଦେଶ ବୁଲି ଟ୍ରାଭେଲ ସିରିଜ କରିଛନ୍ତି |

ବିଦେଶ ଯାତ୍ରା କରିବା ପୂର୍ବରୁ ବରୁଣ ନିଜ ଦେଶର ଅଧିକାଂଶ ରାଜ୍ୟ ବୁଲି ସାରିଛନ୍ତି | ଦେଶର ପର୍ଯ୍ୟଟନକୁ ଲୋକପ୍ରିୟ କରିବା ଦିଗରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ତରଫରୁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି | ନିଜର ପ୍ରଭାବଶାଳୀ କଣ୍ଟେଣ୍ଟ ପାଇଁ ଟେଡ଼ ଭଳି ମଞ୍ଚରେ ମଧ୍ୟ ତାଙ୍କୁ ଆମନ୍ତ୍ରିତ କରାଯାଇଛି | 

ବରୁଣ ଦିଲ୍ଲୀ ଆଇଆଇଏମସିରୁ ପାସ କରିବା ପରେ ସାମ୍ବାଦିକତାରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ | ମାସ କମ୍ୟୁନିକେସନରେ ଏମଫିଲ କରିବା ପରେ ପିଏଚଡି କରିଥିଲେ | ୟୁପିଏସସି ପାସ କରିବା ପରେ ସେ ଅନେକ ସରକାରୀ ସଂସ୍ଥାରେ ଚାକିରୀ କରିଥିଲେ | ଦିଲ୍ଲୀ ଉପରାଜ୍ୟପାଳ ସମେତ କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ସୂଚନା ଅଧିକାରୀ ମଧ୍ୟ ଥିଲେ | ୧୫ ବର୍ଷ ଚାକିରୀ କରିବା ପରେ ସେ ଟ୍ରାଭେଲ ବ୍ଲଗର ହୋଇଥିଲେ | ବର୍ତ୍ତମାନ ସେ ଜଣେ ସଫଳ ଟ୍ରାଭେଲ ୟୁଟ୍ୟୁବର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.