ଆଜିଠୁ ପୁଣି ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ, ଅନଲାଇନ କ୍ଲାସକୁ ଅପଲୋଡ୍ କରିବେ ଶିକ୍ଷକ

Published By : Prameya-News7 Bureau | January 27, 2022 IST

ଭୁବନେଶ୍ୱର ୨୭।୦୧: ଆଜିଠୁ ପୁଣି ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବରେ ପାଠପଢା ହେବ । ସେନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ବାରା ଗତ ଶିକ୍ଷାବର୍ଷ ଭଳି ପିଲାଙ୍କ ପାଠପଢା ଭରଣା ହୋଇପାରିବ ବୋଲି ଶିକ୍ଷକମାନେ କହିଛନ୍ତି । ସେପଟେ କିନ୍ତୁ ଏହା ଫଳପ୍ରଦ ହେବନି ବୋଲି ଓଡ଼ିଶା ମହାସଂଘ କହିଛି ।

ଖବର ଅନୁଯାୟୀ,  ଗତ ଶିକ୍ଷାବର୍ଷ ଭଳି ଏଥର ବି ୟୁଟ୍ୟୁବରେ ପାଠ ପଢିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ଗୁରୁବାର ଠାରୁ ୟୁଟ୍ୟୁବରେ ପାଠ ପଢା ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଓପେସା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ କ୍ଲାସ ହେବ । ଅନଲାଇନରେ ହେଉଥିବା କ୍ଲାସକୁ ୟୁଟ୍ୟୁବରେ ଅପଲୋଡେ କରାଯିବ । ଯାହା ଦ୍ବାରା ପରବର୍ତ୍ତୀ ଅବସ୍ଥାରେ ପିଲାମାନେ ଏହାର ଫାଇଦା ଉଠାଇ ପାରିବେ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି । ଏନେଇ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିବେ ।

ସେପଟେ ୟୁ ଟ୍ୟୁବ୍ ପାଠପଢାର ବିଫଳତାକୁ ନେଇ ବର୍ଷିଛି ଓଡିଶା ଅଭିଭାବକ ମହାସଂଘ । ରେଡ଼ିଓ ପାଠଶାଳା, ଦୂରଦର୍ଶନରେ ଶିକ୍ଷା ଦର୍ପଣ ପାଠ୍ୟ କାର୍ଯ୍ୟକ୍ରମ ବେଶୀ ପ୍ରଭାବୀ ହେଉନି । କିଛି ଲୋକଙ୍କ ପାଖରେ ମୋବାଇଲ ନାହିଁ ତ ଆଉ କିଛି ନେଟ୍ ପ୍ୟାକ ପକାଇବାକୁ ଅସମର୍ଥ । ଉପାନ୍ତ ଅଞ୍ଚଳରେ ନେଟୱାର୍କ ବି ରହୁନି । ଏଭଳି ସ୍ଥିତିରେ ୟୁଟ୍ୟୁବରେ ପାଠ ପଢା ବେଶୀ ଫଳପ୍ରଦ ହେବନି । ତେଣୁ ବିଚାର ବିମର୍ଶ କରି ନିଷ୍ପତ୍ତି ନେବାକୁ ସଂଘ କହିଛି । ଅଷ୍ଟମରୁ ସ୍କୁଲ ଖୋଲିବା ପାଇଁ ପୁଣି ଦାବି ଦୋହରାଇଲା ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.