ବିଧବାଙ୍କୁ ସିନ୍ଦୂର ଲଗାଇ ଜେଲ୍ ଗଲେ ଯୁବକ

Published By : Prameya-News7 Bureau | November 25, 2019 IST

ବାରିପଦା ୨୫।୧୧: ବାରିପଦା ସଦର ଥାନା ଅନ୍ତର୍ଗତ ଢିଙ୍କିନିଡ଼ିହା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବିଧବା ମହିଳାଙ୍କ ମଥାରେ ସିନ୍ଦୁର ଲଗାଇ ଜଣେ ଯୁବକଙ୍କୁ ଜେଲ୍‌ ଯିବାକୁ ପଡ଼ିଛି । ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ଯୁବକ ଜୋରଜବରଦସ୍ତ ତାଙ୍କ ମଥାରେ ସିନ୍ଦୁର ଲଗାଇଦେଇଥିଲେ । ପୋଲିସ ଘଟଣାରେ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ବାରିପଦା ସଦର ଥାନା ଅନ୍ତର୍ଗତ ଭଗବତପୁର ଅଞ୍ଚଳରେ ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଢିଙ୍କିନିଡିହା ଗାଁରେ ଥିବା ନିଜ ମାମୁଁଙ୍କ ଘରେ ରହୁଥିଲେ । ସେହି ଗ୍ରାମର ସ୍ୱର୍ଗତ ବିଘ୍ନେଶ୍ୱର ଦେହୁରୀଙ୍କ ପୁଅ ଗୌତମ ଦେହୁରୀ ସେହି ମହିଳାଙ୍କ ପଛରେ ପଡ଼ିଯାଇଥିଲେ। ବିଭିନ୍ନ ସମୟରେ ମହିଳାଙ୍କୁ ବିବାହ କରିବା ପାଇଁ ବାରମ୍ବାର ପ୍ରସ୍ତାବ ଦେଇଆସୁଥିଲେ। ଏପରିକି ଧମକଚମକ ଦେଉଥିବାର ଅଭିଯୋଗ ହୋଇଛି । ତେବେ ଶନିବାର ସନ୍ଧ୍ୟାରେ ପରିସ୍ଥିତି ଭିନ୍ନ ରୂପ ନେଇଥିଲା । ବିଧବା ମହିଳା ଜଣଙ୍କ ଘରେ ଶୋଇଥିବାବେଳେ ଗୌତମ ଉକ୍ତ ମହିଳାଙ୍କ ଘରେ ପଶି ଜୋରଜବରଦସ୍ତ  ତାଙ୍କ ମଥାରେ ସିନ୍ଦୁର ଲଗାଇ ଦେଇଥିଲେ । ଏନେଇ ବିଧବା ଜଣକ ରବିବାର ବାରିପଦା ସଦର ଥାନାରେ ଗୈାତମଙ୍କ ବିରୋଧରେ ଏତଲା ଦେଇଥିଲେ । ପୁଲିସ୍‌ ୧୬୩/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ୩୪୧/୩୨୩/୩୯୪ ଦଫା ଲଗାଇ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସ୍ୱର୍ଣ୍ଣଲତା ମିଞ୍ଜ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.