ରୋଗୀ ହୋଇ ଆମ୍ବୁଲାନ୍ସରେ ଗଲେ, ବିବାହ କରି ଫେରିଲେ ଘରକୁ : ଏବେ କ୍ବାରେଣ୍ଟାଇନ୍‌ରେ ନବଦମ୍ପତ୍ତି

Published By : Prameya-News7 Bureau | May 01, 2020 IST

ଗାଜିଆବାଦ ୧।୫: କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ରେ ମଧ୍ୟ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପୋଲିସକୁ ଚକମା ଦେଇ ନିଜ ନିଜ କାମ ହାସଲ କରୁଛନ୍ତି । ଏଭଳି ଏକ ମାମଲା ଉତ୍ତରପ୍ରଦେଶର ମୁଜାଫରନଗରର ଦେଖିବାକୁ ମିଳିଛି । ଏଠାରେ ଖତୌଲି ଅଞ୍ଚଳର ଜଣେ ଯୁବକ ନିକହା ପାଇଁ ନିଜକୁ ରୋଗୀ ସଜାଇଦେଲେ । ରୋଗୀ ହୋଇ ଆମ୍ବୁଲାନ୍ସକୁ ଯାଇ ଗାଜିଆବାଦର ସହିଦନଗରରୁ ବିବାହ କରି ଆସିଲେ ।

ପୋଲିସର ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଖତୌଲି ସହରର ଇସଲାମନଗରରେ ରହୁଥିବା ଅହମ୍ମଦ ନାମକ ଜଣେ ଯୁବକ ତାଙ୍କ ବାପା ଇସରାରଙ୍କ ସହ ପରିଚିତ ଥିବା ଆମ୍ବୁଲାନ୍ସ ଡ୍ରାଇଭର ମେହବୁବଙ୍କ ସହ ଗାଜିଆବାଦର ସହିଦନଗର ଅଞ୍ଚଳରେ ପହଞ୍ଚିଥିଲେ । ବିବାହ ପରେ ସେ ନିଜ ପତ୍ନୀଙ୍କୁ ସାଙ୍ଗରେ ଧରି ତାଙ୍କ ଘରକୁ ଫେରିଥିଲେ । ତେବେ ଯୁବକ ଜଣଙ୍କ ରହୁଥିବା ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସିଲ୍ କରିସାରିଛି । ଯେହେତୁ ଏଠାରୁ କିଛି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ତେବେ ଏଭଳି ବିବାହ ସମ୍ବନ୍ଧରେ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଅହମ୍ମଦ ଏବଂ ତାଙ୍କ ପତ୍ନୀଙ୍କୁ କ୍ବାରେଣ୍ଟାଇନ୍ କରିଛି । ସମ୍ପୂର୍ଣ୍ଣ ଘଟଣା ଜଣାପଡିବା ପରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ମେହବୁବ, ଅହମ୍ମଦ ଏବଂ ତାଙ୍କ ବାପା ହାଜି ଇସରାରଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ଏକ ମାମଲା ରୁଜୁ କରିଛି ।

ସେହିଭଳି ଗତକାଲି ଏଭଳି ଅନ୍ୟ ଏକ ଘଟଣା ଗାଜିଆବାଦରେ ଘଟିଥିଲା । ଲକ୍ ଡାଉନ୍ ରେ ପରିବା ଓ ରାସନ ଆଣିବାକୁ ଯାଇ ବିବାହ କରି ଘରକୁ ଫେରିଥିଲେ ଯୁବକ । ପୁଅ ଅଚାନକ ବୋହୂକୁ ନେଇ ଆସିଥିବାରୁ ମା’ ବେହୋସ ହୋଇଯାଇଥିଲେ । ପ୍ରକୃତରେ ଯୁବକ ଜଣଙ୍କ ତାଙ୍କ ପ୍ରେମିକାଙ୍କୁ ସ୍ତ୍ରୀ ଭାବରେ ଘରକୁ ଆଣିଥିଲେ । ଯୁବକଙ୍କ ମା’ କିନ୍ତୁ ଏଥିରେ ସହମତ ନଥିଲେ । ଫଳରେ ସେ ଉଭୟଙ୍କୁ ଘରେ ପ୍ରବେଶ କରିବାକୁ ଦେଇନଥିଲେ । ଏହାପରେ ମାମଲା ଥାନାରେ ପହଞ୍ଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.