ବିବାହ ବେଦୀରେ ବସିବା ବଦଳରେ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆଲୋକ : ଜାଣନ୍ତୁ ପୂରା ଘଟଣା
9/11/2019 at 4:56 PM

ନୂଆପଡା ୯।୧୧: କାନ୍ଦ ବୋବାଳିରେ ଫାଟି ପଡୁଛି ଘର ଦୁଆର । ଗାଁ ଦାଣ୍ଡରେ ବି ସେଇ ଗୋଟିଏ ଚର୍ଚ୍ଚା, ଆଜି ଥିଲା ଆଲୋକର ବାହାଘର । ଆଲୋକର ଜୀବନରେ ଅନ୍ଧକାର ଛାଇଗଲା । ବାହାବେଦୀରେ ବସିବା ବଦଳରେ ଶୋଇ ରହିଛନ୍ତି ହସ୍ପିଟାଲର ବେଡରେ ।

ଏଭଳି ଦୃଶ୍ୟ ନୂଆପଡା ଜିଲ୍ଲା ଲଖନା ଥାନା ବଙ୍ଗାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ଗୋଟିଏ ବୋଲି ଭାଇ ବାହାଘରରେ ଯୋଗ ଦେବାପାଇଁ ତିନି ଭଉଣୀ କେତେ ଆଶା ନେଇ ଧାଇଁ ଆସିଥିଲେ । ହେଲେ ଆସିଲା ବେଳକୁ ଦେଖିଲେ ଲୋମ ଟାଙ୍କୁରା ଦୃଶ୍ୟ । ବାହା ବେଦୀରେ ବର ସାଜି ବସିବାକୁ ଥିବା ଭାଇକୁ ଲଖନା ଗ୍ରାମର କିଛି ଦୁର୍ବୃତ୍ତ ମାଡ ମାରିବା ସହ ଦେହରେ ଏସିଡ ଢାଳି ଦେଇଛନ୍ତି । ଯାହା ଫଳରେ ତାର ସମ୍ପୂର୍ଣ୍ଣ ଦେହ ଜଳିଯାଇଛି । ମୁଣ୍ଡରେ ଆଉ ଦେହରେ କ୍ଷତ ଚିହ୍ନ ମଧ୍ୟ ଅଛି ।

ବାହାଘରରେ ଭିଡିଓ ସୁଟିଂ ପାଇଁ ସ୍ଥାନୀୟ ଲାଠୋରର ଏକ ଷ୍ଟୁଡିଓରେ ଅଗ୍ରୀମ ଦେଇ ଫେରୁଥିବା ବେଳେ ଲଖନା ବଙ୍ଗାମୁଣ୍ଡା ମଝିରେ ଥିବା ଏକ ପୋଖରୀ ପାଖରେ ଶୌଚ ହେବା ବେଳେ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଲେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରିଦେଲେ ଡାକ୍ତର । ଏସିଡ ମାଡରେ ଆଲୋକର ଦୁଇ ଆଖି ଅକାମି ହୋଇଯାଇଥିବା କଥା ସାମନାକୁ ଆସୁଥିବା ବେଳେ ଅନ୍ଧକାର ଭିତରେ ଠେଲି ହୋଇ ଯାଇଛି ଆଲୋକଙ୍କ ଭବିଷ୍ୟତ ।

ଆଲୋକଙ୍କ ବାହାଘର ପାଇଁ ମିଠା ସାମଗ୍ରୀ, ପୂଜା ସାମଗ୍ରୀ, ବାହା ମୁକୁଟ ସାଙ୍ଗକୁ ବେଦୀ ମଧ୍ୟ ତିଆରି ହୋଇ ଶୁଭ ସ୍ତମ୍ଭରେ ଆମ୍ବ ତୋରଣ ବନ୍ଧା ସରିଥିଲା । ହେଲେ ବାହାବେଦୀରେ ବସି ହଳଦି ଲାଗି ହେବା ଆଲୋକ ଆଜି କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ହାତଖାଲି ହୋଇ ପଡିଛି ଯାହା ପାଇଁ ଆଲୋକର ଚିକିତ୍ସା ପାଇଁ ଚିନ୍ତାରେ ରହିଛନ୍ତି ପରିବାର ଲୋକେ । ସେପଟେ ଏସିଡ ମାଡ ଘଟଣାରେ ସ୍ଥାନୀୟ ଲଖନା ଗ୍ରାମର ଜଣେ ସମିତି ସଭ୍ୟ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ କେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।