‘ଭଲ ଭାବେ ଚିକିତ୍ସା କରି ସୁସ୍ଥ କର, ନଚେତ୍ ଇଚ୍ଛା ମୃତ୍ୟୁର ଅନୁମତି ଦିଅ ବୋଲି ସରକାରଙ୍କୁ ଆକୁଳ ନିବେଦନ କଲେ ଯୁବକ’, ପୂରା କାହାଣୀ ପଢିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ…

Published By : Prameya-News7 Bureau | November 16, 2019 IST

ବ୍ରହ୍ମପୁର(ସୁରଜିତ ପଣ୍ଡା)୧୬|୧୧: ପେଟ ପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ ଯୁବକ । ହେଲେ ଦୁର୍ଭାଗ୍ୟବଶତଃ ରୋଷେଇ କରୁଥିବା ବେଳେ ତେଲ କଢେଇରେ ପଡି ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକ ଜଣକ ବ୍ରହ୍ମପୁର ସିଟି ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ‘ଭଲ ଭାବେ ଚିକିତ୍ସା କରି ସୁସ୍ଥ କର, ନଚେତ୍ ଇଚ୍ଛା ମୃତ୍ୟୁର ଅନୁମତି ଦିଅ ବୋଲି ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଯୁବକ’। ଆସନ୍ତୁ ଦେଖିବା ଏ ନ୍ୟୁଜ୍ ୭ର ରିପୋର୍ଟ ---

{"id":185213,"sizeSlug":"large"}

ପରିବାର ପ୍ରତିପୋଷଣ ପାଇଁ ଚିନ୍ତା। ସୁଖ ଶାନ୍ତିରେ ବଞ୍ଚିବାକୁ ଉଦ୍ୟମ କରି ଏକ ହୋଟେଲ୍‌ରେ କାମ କରୁଥିଲେ ପାରଳାଖେମୁଣ୍ଡିର ଶିବ ଶଙ୍କର ମିଶ୍ର। ପାରଳାଖେମୁଣ୍ଡି ନୂଆବସ୍‌ଷ୍ଟାଣ୍ଡ୍ ନିକଟରେ ଥିବା ଏକ ହୋଟେଲ୍‌ରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ବେଳେ ଶିବ ତେଲ କଢେଇରେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ଶିବଙ୍କୁ ହୋଟେଲ୍ ମାଲିକ ଚିକିତ୍ସା ପାଇଁ କଟକ ମେଡିକାଲ୍‌କୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଦେଢମାସ ଚିକିତ୍ସିତ ହେବା ପରେ କ୍ଷତାକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ଶିବ। ଗୋଟିଏ ପଟେ ଜୀବନ ଯନ୍ତ୍ରଣାରେ ଛଟପଟ , ଅନ୍ୟପଟେ ଆର୍ଥିକ ଚିନ୍ତା ଶିବଙ୍କୁ ଅସ୍ତବ୍ୟସ୍ତ କରିଥିଲା।

{"id":185215,"sizeSlug":"large"}

ଶିବଙ୍କ ଶରୀରର ୪୦ ପ୍ରତିଶତ କ୍ଷତାକ୍ତ ହୋଇଥିବା ଦେଖାଯାଇଛି। ମୁହଁ, ଆଖି, ଛାତି, ପାଟି ଶରୀରର ବିଭିନ୍ନ ଅଂଶ କ୍ଷତାକ୍ତ ହୋଇଛି। ଏଭଳି ଅବସ୍ଥାରେ ଶିବଙ୍କ ସ୍ତ୍ରୀ ଏବେ ହାତ ଛାଡି ହତାଦର କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ଶିବ। ସେପଟେ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ପାଖତଡ ମାଡୁନାହାନ୍ତି। ଭାଇ ମଧ୍ୟ ପଚାରୁ ନାହାନ୍ତି। ପାଖରେ ଟଙ୍କାଟିଏ ମଧ୍ୟ ନାହିଁ। ପାରଳାଖେମୁଣ୍ଡିରୁ ନିଜେ ବ୍ରହ୍ମପୁର ସିଟି ମେଡିକାଲ୍ ଆସି ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଅସହାୟ ଅବସ୍ଥାରେ ଏକା ଏକା ଅସ୍ଥିସଲ୍ୟ ବିଭାଗର ୨୫ ନମ୍ବର ବେଡ୍‌ରେ ପଡି ରହିଛନ୍ତି। ଭଲଭାବେ ଚିକିତ୍ସା କର ନଚେତ୍ ଇଚ୍ଛା ମୃତ୍ୟୁ ପାଇଁ ସରକାର ଅନୁମତି ଦିଅନ୍ତୁ ବୋଲି ଶିବ ଆକୁଳ ନିବେଦନ କରିଛନ୍ତି।

{"id":185216,"sizeSlug":"large"}

ଅସହାୟ ଅବସ୍ଥାରେ ଶିବ ବେଡ୍ ଉପରେ ପଡିଥିବା ବେଳେ ନିକଟ ବେଡ୍‌ରେ ଥିବା ରୋଗୀ ଏବେ ଶିବଙ୍କ ପାଇଁ ସାହା ଭରସା ହୋଇଛନ୍ତି। ରୋଗୀ କରୁଛି ରୋଗୀର ସେବା। ଶିବଙ୍କର ଏଭଳି ଅବସ୍ଥା ଦେଖି ସହ୍ୟ କରିପାରୁନାହାନ୍ତି ପାଖ ବେଡ୍‌ରେ ଥିବା ରୋଗୀ। ପ୍ରତ୍ୟେକ ଦିନ ଏହି ଯୁବକର ସେବା କରୁଥିବା କହିଛନ୍ତି ନିକଟ ବେଡ୍‌ରେ ଥିବା ରୋଗୀ ସୁଧା ପ୍ରଧାନ। ଅସହାୟ ଅବସ୍ଥାରେ ଥିବା ଯୁବକଙ୍କୁ କିଛି ସାହାର୍ଯ୍ୟ ସହଯୋଗ କରିବା ଆଶାରେ ଭୁବନେଶ୍ବର ଯାଇ ଫେରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଅନ୍ୟ ଜଣେ ସହଯୋଗୀ। ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ଯୁବକର ସୁଚିକିତ୍ସା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଏମାନେ।

{"id":185217,"sizeSlug":"large"}

କଥାରେ ଅଛି ଯାହାର କେହି ନାହିଁ, ତାକୁ ଭଗବାନ ସାହା ଭରସା। ଯୁବକର ଏଭଳି ଅବସ୍ଥାରେ ସରକାର କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ହିଁ ଏବେ ଅପେକ୍ଷା -----।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.