ସ୍ବୀକୃତି ନମିଳିବାରୁ ଭୟଙ୍କର ହେଲା ପରିଣତି, ପ୍ରେମିକାର ତଣ୍ଟି କାଟି ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା

Published By : Prameya-News7 Bureau | January 07, 2020 IST

ଥିରୁବନ୍ତପୁରମ୍ ୭।୧: ୧୯ ବର୍ଷ ବୟସ୍କା ଯୁବତୀଙ୍କୁ ହତ୍ୟା କରିବା ପରେ ଯୁବତୀଙ୍କ ଘରେ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ । ପ୍ରେମ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ପ୍ରେମିକ ଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି । ଏଭଳି ଅଭାବନୀୟ ଘଟଣା କେରଳର ଥିରୁବନ୍ତପୁରମ୍ ରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଅନୁ ନାମକ ୨୧ ବର୍ଷ ବୟସ୍କା ଯୁବକ ଏକ ମୋବାଇଲ ଦୋକାନରେ କାମ କରୁଥିଲେ । ଆସିକା ବ୍ୟୁଟିସିଆନ୍ ଭାବେ ଟ୍ରେନିଂ ନେଉଥିଲେ । ଥିରୁବନ୍ତପୁରମ୍ ର କାରକୋନାମ୍ ଅଞ୍ଚଳରେ ରହୁଥିଲେ ଆସିକା । ଅନୁ, ଆସିକାଙ୍କ ଘରେ ପଶି ତାଙ୍କ ଗଳା କାଟି ହତ୍ୟା କରିଛନ୍ତି । ଘରେ ତାଙ୍କ ବାପା ଏବଂ ମା’ ନଥିବାର ସୁଯୋଗ ନେଇ ଅନୁ ତାଙ୍କ ଘରେ ପଶିଥିଲେ । ଆସିକାଙ୍କୁ ଜୋରଜବରଦସ୍ତ ତାଙ୍କ ରୁମ୍ ରେ ଭର୍ତ୍ତି କରି ଭିତରପଟୁ ବନ୍ଦ କରିଦେଇଥିଲେ । ଘଟଣା ସମୟରେ ଯୁବତୀଙ୍କ ଜେଜେମା ଘରେ ଉପସ୍ଥିତ ଥିଲେ ।

ଯୁବତୀ ଜଣଙ୍କ ଘର ଭିତରେ ଥାଇ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପଡୋଶୀମାନେ ଦୌଡି ଆସିଥିଲେ । ଯୁବତୀଙ୍କୁ ବଞ୍ଚାଇବା ପାଇଁ ଘରର କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ । ଉଭୟ ଅନୁ ଏବଂ ଆସିକା ଘର ଭିତରେ ରକ୍ତ ଜୁବୁବୁଡୁ ଅବସ୍ଥାରେ ପଡିଥିବାର ଦେଖିଥିଲେ । ଏକ ଧାରୁଆ ଅସ୍ତ୍ରରେ ଆସିକାଙ୍କ ଗଳା କାଟିବା ପରେ ନିଜ ଗଳା କାଟିଦେଇଥିଲେ ଅନୁ ।

ଅନୁ ଏବଂ ଆସିକାଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଆସିକାଙ୍କ ଘର ଲୋକ ଅନୁଙ୍କୁ ପସନ୍ଦ କରୁନଥିଲେ । ଯାହା ଫଳରେ ଉଭୟଙ୍କ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ମାତ୍ର ଅନୁ, ଆସିକାଙ୍କ ପିଛା ଛାଡୁନଥିଲେ । ଫଳରେ ଆସିକାଙ୍କ ପରିବାରଲୋକ ସମାଧାନ ପାଇଁ ପୋଲିସକୁ ଅନୁରୋଧ କରିଥିଲେ । ଯାହାକୁ ନେଇ ଅନୁ ଭୀଷଣ ରାଗିଯାଇଥିଲେ । ଫଳରେ ସେ ଆସିକାଙ୍କ ଘରକୁ ଆସି ଏଭଳି କାଣ୍ଡ ଘଟାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.